ବିଜୟୱାଡାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୧୨୦୯ ପ୍ରବାସୀ

ଟିଟିଲାଗଡ଼, ୧୨।୫ (ଡି.ଏନ.ଏ.)
ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ଅପରାହ୍ନ ୪ଟାରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ପହଞ୍ଚିଥିଲା। ଏଥିରେ ରାଜ୍ୟର ୧୩ ଜିଲାର ୧୨୦୯ଜଣ ପ୍ରବାସୀ ଥିଲେ। ନୂଆପଡା ଜିଲାର ସର୍ବାଧିକ ୫୬୫ ଜଣ ରହିଥିବା ବେଳେ ଗଞ୍ଜାମର ୨୩୦, ଗଜପତି ୧୮୬, ବଲାଙ୍ଗୀର ୧୨୦, କୋରାପୁଟ ୩୮, କଟକ ୧୭, ବରଗଡ଼ ୧୨, କଳାହାଣ୍ଡି ୧୦, ଯାଜପୁର ୯, ପୁରୀ ୯, ରାୟଗଡ଼ା ୮, ଭଦ୍ରକ ୪, ବାଲେଶ୍ୱର ଜିଲାର ଜଣେ ପ୍ରବାସୀ ରହିଛନ୍ତି। ରାଜ୍ୟ କୋଭିଡ୍‌ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ, ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ଏମ୍‌. ସନ୍ଦୀପ ସମ୍ପଦ, ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ଟ୍ରେନ୍‌ରୁ ଓହ୍ଲାଇବା ପରେ ପ୍ରବାସୀଙ୍କ ସ୍କ୍ରିନିଂ କରାଯାଇଥିଲା। ପରେ ସମସ୍ତଙ୍କୁ ସ୍ବତନ୍ତ୍ର ବସ୍‌ରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଥିଲା। ରବିବାର ପରି ସୋମବାର ମଧ୍ୟ ଟିଟିଲାଗଡ଼ ସହରରେ ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା।