ବିଜେପୁର ଉପନିର୍ବାଚନ : ମତଦାନ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସୋମବାର ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ର (ବୁଥ୍‌)ରେ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏହା ପୂର୍ବରୁ ଅର୍ଥାତ୍‌ ସକାଳ ୫ଟା ୫୦ ମିନିଟ୍‌ରୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନିୟୋଜିତ ପ୍ରିଜାଇଡିଂ, ପୋଲିଂ ଅଫିସରଙ୍କ ସମେତ ଅନ୍ୟ ନିର୍ବାଚନ କର୍ମଚାରୀମାନେ ମକ୍‌ ପୋଲ କରିଥିଲେ। ତାହା ସୂଚାରୁଭାବେ ସମ୍ପାଦନ ହେବା ପରେ ନିିର୍ଦ୍ଧାରିତ ସମୟ ସକାଳ ୭ଟାରୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରେ ମତଦାନ ସରିବାର କାର୍ଯ୍ୟକ୍ରମ ରହିଛି। ମତଦାନ ପାଇଁ ପ୍ରତି ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଏହି ଉପନିର୍ବାଚନରେ ସମୁଦାୟ ୨ଲକ୍ଷ ୩୨ହଜାର ୨୬୪ ଭୋଟରଙ୍କ ପାଇଁ ମତଦାନ ବ୍ୟବସ୍ଥା ହୋଇଛି। ସେହିପରି ବରପାଲି ଅଞ୍ଚଳରେ ୮୪, ବିଜେପୁର ଅଞ୍ଚଳରେ ୧୦୬ ଏବଂ ଗାଇସିଲେଟ ଅଞ୍ଚଳରେ ୯୫ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଛି।