ବିଜେପୁର ଉପନିର୍ବାଚନ: ଗାଇସିଲେଟରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର

ବରଗଡ଼ ଅଫିସ/ଗାଇସିଲେଟ,୧୧।୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଗାଇସିଲେଟରୁ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଥିଲେ, ମୁଖ୍ୟମନ୍ତ୍ରୀ ଗତ ୨୦୧୮ ଉପର୍ନିବାଚନ ସମ଼ୟରୁ ନିଜେ ବିଜେପୁରର ଦାୟିତ୍ବ ନେବି ବୋଲି ପ୍ରକାଶ କରି ଆସିଥିଲେ। ଗତ ସାଧାରଣ ନିର୍ବାଚନ ସମୟରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥୂଲେ ଏବଂ ବିଜେପୁରବାସୀ ତାଙ୍କ ଉପରେ ଭରସା କରି ଭୋଟ ଦେଇ ଜିତାଇଥିଲେ। ମାତ୍ର ନବୀନ ହିଞ୍ଜିଳିକାଟୁ ଆସନ ନ ଛାଡି ବିଜେପୁର ଆସନକୁ କାହିଁକି ଛାଡି ଦେଲେ ବେଲି ସେ ପ୍ରଶ୍ନ କରିଥିଲେ। ସେହିପରି ଖୋଦ ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶ ଦାୟିତ୍ବ ନେବି ବୋଲି କହିଥିଲେ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡ଼ିଛି ବୋଲି ଧର୍ମେନ୍ଦ୍ର କହିଥିଲେ ଏବଂ ଦଳୀୟ ପ୍ରାର୍ଥୀ ଗଡତିଆଙ୍କ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ ଲୋକସଭା ଏମ୍‌ପି ସୁରେଶ ପୂଜାରୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେ. ଭି ସିଂଦେଓ, ରାଜ୍ୟ ଉପସଭାପତି ଅଶ୍ବିନୀ ଷଡଙ୍ଗୀ, ଜିଲା ସଭାପତି ଅରୂପାନନ୍ଦ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଦଳୀୟ ପ୍ରାର୍ଥୀ ଗଡତିଆ ପ୍ରମୁଖ ମଞ୍ଚାସୀନ ଥିଲେ।