Categories: ଖେଳ

ବିଜେନ୍ଦରଙ୍କ କ୍ରମାଗତ ୧୧ତମ ବିଜୟ

ନୂଆଦିଲ୍ଲୀ,୧୪।୭- ଭାରତୀୟ ପେସାଦାର ବକ୍ସର ବିଜେନ୍ଦର ସିଂଙ୍କ ଅପରାଜେୟ ଧାରା ଜାରି ରହିଛି। ସେ ୟୁଏସ୍‌ ପ୍ରଫେଶନାଲ ସର୍କିଟରେ ଆମେରିକାନ ବକ୍ସର ମାଇକ ସ୍ନିଡରଙ୍କୁ ନକ୍‌ଆଉଟ୍‌ କରି ଦେଇଛନ୍ତି। ଏହା ବିଜେନ୍ଦରଙ୍କ କ୍ୟାରିୟରର କ୍ରମାଗତ ୧୧ତମ ବିଜୟ। ୩୩ ବର୍ଷୀୟ ହରିୟାଣା ବକ୍ସର ୪ ରାଉଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଧରାଶାୟୀ କରି ଦେଇଛନ୍ତି। ୩୮ ବର୍ଷୀୟ ସ୍ନିଡର କୌଣସି ବାଉଟରେ ଭଲ ପ୍ରଦର୍ଶନ କରି ନ ଥିଲେ। ଅପରପକ୍ଷେ ପ୍ରାୟ ବର୍ଷେ ହେଲା ରିଙ୍ଗଠାରୁ ଦୂରରେ ଥିବା ବିଜେନ୍ଦର ପ୍ରଥମ ବାଉଟର ସିଧା ପଞ୍ଚ ମାରି ଚାଲିଥିଲେ। ଫଳରେ ରେଫରି ଭାରତୀୟ ବକ୍ସରଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ। ବିଜୟ ପରେ ବିଜେନ୍ଦର ଭାରତୀୟ ପ୍ରଶଂସକଙ୍କୁ ସମର୍ଥନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘଦିନର ବ୍ୟବଧାନ ପରେ ରିଙ୍ଗରେ ପ୍ରବେଶ କରି ଭଲ ଅନୁଭବ ହେଉଛି। ଆମେରିକାରେ ପଦାର୍ପଣ ମ୍ୟାଚ୍‌ରେ ବିଜୟ ହାସଲ କରି ମୁଁ ଉତ୍ସାହିତ। ଦୁଇରୁ ତିନି ରାଉଣ୍ଡରେ ଜିତିଯିବି ବୋଲି ଆଶା ରଖିଥିଲି। ହେଲେ ମୋତେ ୪ ରାଉଣ୍ଡ ଲାଗିଲା ବୋଲି ବିଜେନ୍ଦର କହିଛନ୍ତି।

Share