ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ୍‌ରେ ସିଲ୍‌ ହୋଇ ରହିଛି। ଏହାପୂର୍ବରୁ ବିଜେଡି ଓ ଭାଜପା ନେତାମାନେ ସେମାନଙ୍କ ପ୍ରାର୍ଥୀ ବିଜୟୀ ହେବେ ବୋଲି ଆଶା ରଖିଥିବା ବେଳେ ହାତ ଟେକିଦେଇଛି କଂଗ୍ରେସ। ବିଜେଡି ନେତା ତଥା ବରିଷ୍ଠ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବିଜେଡି ସପକ୍ଷରେ ବିଜେପୁରବାସୀଙ୍କ ମତଦାନ ଯିବ ବୋଲି ଆମେ ଆଶାବାଦୀ। ବିଜେଡି ପ୍ରାର୍ଥୀ ରୀତା ସାହୁ ବଡ ବ୍ୟବଧାନରେ ବିଜୟୀ ହେବେ। ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶ୍ୱାସ ରଖିଛନ୍ତି ତା’ର ଫଳାଫଳ ଖୁବ୍‌ଶୀଘ୍ର ଜଣାପଡିବ ବୋଲି ସେ କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାଜପା ପ୍ରାର୍ଥୀଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ରହିଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ଠିଆହୋଇ ଲୋକଙ୍କ ସୁଖଦୁଃଖ ବୁଝିବେ କହି ଶେଷରେ ଧୋକା ଦେଲେ। ସେହିପରି ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଯୋଜନାର ଘୋଷଣା କରିଦେଇ ଚୁପ୍‌ ବସିପଡିଛନ୍ତି। ବିଜେପୁରବାସୀ ଏହାର ଜବାବ୍‌ ଭୋଟ୍‌ରେ ଦେଇଛନ୍ତି ବୋଲି ଗୋଲକ କହିଛନ୍ତି। କଂଗ୍ରେସ ବରିଷ୍ଠ ନେତା ତଥା ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେପୁରରେ ବିଜେଡି ଏବଂ ଭାଜପା ଯେମିତି ଖର୍ଚ୍ଚ କରିଛନ୍ତି ସେଠାରେ କଂଗ୍ରେସ ଖାପ ଖାଇବ ନାହିଁ। ଆମର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେବଳ ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ଯେହେତୁ ଆମର ଅର୍ଥ ଅଭାବ ଅଛି, ଆମେ କେତେଦୂର ପାରିବୁ ଭଗବାନ ଜାଣନ୍ତି। ପରିଶ୍ରମ କରିଥିଲୁ, ସବୁବେଳେ ସଭା ହେଲେ ହଜାର ହଜାର ଲୋକ ପହଞ୍ଚୁଥିଲେ, ମାତ୍ର ସେଥିରୁ ଭୋଟରେ କେତେ ରୂପାନ୍ତରିତ ହେବ ସେକଥା ଜଣାନାହିଁ। କିନ୍ତୁ ସେଠାରେ ଆମର କିଛି ଭଲ ନାହିଁ ବୋଲି ତାରା କହିଛନ୍ତି।