ବିଜେଡି ନେତା ଅନୁପ ସାଏ ଗିରଫ ହେବା ପ୍ରସଙ୍ଗରେ ବର୍ଷିଲା ଭାଜପା: ପୂର୍ବରୁ ଅଭିଯୋଗ କରିବା ସତ୍ତ୍ୱେ ବିଜେଡି ଶୁଣି ନ ଥିଲା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଅଟକ ରଖିଛି। ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇନେଇଛି। ଘଟଣା ପ୍ରଘଟ ହେବା ପରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖି କହିଛନ୍ତି, ଅନୁପଙ୍କ ବିରୋଧରେ ପୂର୍ବରୁ ବି ଆମେ ଅଭିଯୋଗ କରିଥିଲୁ। ହତ୍ୟା ଭଳି ସଙ୍ଗୀନ୍‌ ଅଭିଯୋଗ ସତ୍ତ୍ୱେ ବିଜେଡି କିନ୍ତୁ ଆଦୌ ଶୁଣୁ ନ ଥିଲା। ଛତିଶଗଡ଼ ପୋଲିସ ହାତରେ ଗିରଫ ହେବା ପରେ ବିଜେଡିର ଅସଲ ମୁଖା ଖୋଲିଛି। ଏବେ ଅନୁପଙ୍କୁ ଦଳରୁ ଓ ପଦବୀରୁ କେବେ ବହିଷ୍କାର କରାଯିବ ତାକୁ ଅପେକ୍ଷା ରହିଥିବା ସେ କହିଛନ୍ତି।

ପ୍ରକାଶ ଯେ, ଅନୁପ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସେ ଏବେ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅଛନ୍ତି। ଛତିଶଗଡ଼ ରାୟଗଡ଼ ପୋଲିସ ବୁଧବାର ରାତିରେ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇନେଇଛି। ବର୍ତ୍ତମାନ ତାଙ୍କୁ ରାୟଗଡ଼ ଜିଲା ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରାଯାଉଛି।

Share