ବିଜେଡିର ଜନସମ୍ପର୍କ, ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ

ସିନାପାଲି,୫।୧୦(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲିସ୍ଥିତ ରାଣୀମୁଣ୍ଡା ଗ୍ରାମଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିଜେଡିର ନୂଆପଡା ଜିଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ରାଣୀମୁଣ୍ଡାଠାରୁ ଏକତ୍ରିତ ହୋଇ ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ରାଣୀମୁଣ୍ଡା ଗ୍ରାମଠାରେ ଏକ ସଭା କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଲୋକଙ୍କୁ ସଚେତନ କରିବା ସହ ସରକାରୀ ଯୋଜନା ଉପରେ ବୁଝାଇଥିଲେ। ରାଣୀମୁଣ୍ଡା ଦେଇ ମାଣ୍ଡିଆରୁଚା, ହୀରାପୁର ଗ୍ରାମଦେଇ ଟିମନପୁରଠାରେ ପହଞ୍ଚତ୍ଥିଲେ। ସେଠାରେ ମଧ୍ୟ ଏକ ବିରାଟ ଜନସଭା କରାଯାଇ ଲୋକମାନଙ୍କୁ ବିଜେଡିରେ ସାମିଲ ହେବା ସହ ନାମ ପଞ୍ଜୀକରଣ କରିବା ପାଇଁ ଆହ୍ବାନ କରିଥିଲେ। ସିନାପାଲି ବ୍ଲକ ସର୍ବମୋଟ ୨୭ଟି ଗ୍ରାମପଞ୍ଚାୟତର ୩ଟି ଜିଲା ପରିଷଦ ଯୋନକୁ ଏହି ପଦଯାତ୍ରା କରାଯିବ ବୋଲି ଜଣାପଡିଛି। ଏହି ପଦଯାତ୍ରାରେ ଜିଲା ବିଜେଡି ସାଧାରଣ ସମ୍ପାଦକ ନିଆଲଙ୍କ ନେତୃତ୍ୱରେ ଜିଲା ପରିଷଦ ସଦସ୍ୟ ଦୋଲକାନ୍ତ ମାଝି, ଜିଲା ଯୋଜନା ବୋର୍ଡ ସଦସ୍ୟ ରମେଶ ତିୱାରି, ଦଇତାରି ମେହେର, ଦିବ୍ୟ ମାଝି, ନଲିନି ବାଗ, ଗୌରି ବାଗ, ରାଣୀମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଦେବବ୍ରତ ସୁପକାର, ଖଡିଆଳ ଏନଏସି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଥପ୍ପା, ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ସରସ୍ବତୀ ବାଗଙ୍କ ସମେତ ଶତାଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ଥିଲେ ।