Categories: ମେଟ୍ରୋ

ପରିଶ୍ରମୀ ହେଲେ ସଫଳତା ମିଳିପାରିବ

ଭୁବନେଶ୍ୱର, ୫ା୭(ବ୍ୟୁରୋ)- ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ (ବିଜେଇଏମ୍‌) ସ୍କୁଲ୍‌ ପକ୍ଷରୁ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଭଞ୍ଜକଳାମ ମଣ୍ଡପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଆଇ.ସି.ଏ.ଆର୍‌ର ବୈଜ୍ଞାନିକ ଡ. ପି.ଏସ୍‌. ବ୍ରହ୍ମାନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାମାନଙ୍କର ବୈଜ୍ଞାନିକ ମନୋବୃତ୍ତି, ଶୈକ୍ଷିକ ଚେତନା, ଅନ୍ତର୍ନିହିତ ଗୁଣର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ଦିଗରେ ସଫଳ ହେବା ନିମନ୍ତେ ପଥପ୍ରଦର୍ଶନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ରଘୁନାଥ ମିଶ୍ର ପିଲାମାନଙ୍କୁ ନୀତିନିଷ୍ଠ, ସମୟାନୁବର୍ତ୍ତୀ ତଥା ପରିଶ୍ରମୀ ହେଲେ ସଫଳତା ମିଳିପାରିବ ବୋଲି କହିଥିଲେ। କମିଟିର ମ୍ୟାନେଜର ପ୍ରତାପ କୁମାର ଜେନା ଓ ଆଡିଶନାଲ ମ୍ୟାନେଜର ଚିତ୍ତରଞ୍ଜନ ବୈରିଶାଲ ପିଲାମାନଙ୍କୁ ଶୃଙ୍ଖଳାର ସହ ପ୍ରଗାଢ଼ ପରିଶ୍ରମ କରିବା, ସମୟର ଉପଯୋଗ, ଶିକ୍ଷା ପ୍ରତି ଶ୍ରଦ୍ଧା ସହ ନୈତିକ ଓ ବୌଦ୍ଧିକ ଗୁଣର ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଉପାଧ୍ୟକ୍ଷ ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ସୁଚରିତା ଦାସ, ବରିଷ୍ଠ ଶିକ୍ଷକ ନଳିନୀକାନ୍ତ ମହାନ୍ତି ପ୍ରମୁଖ ପିଲାମାନଙ୍କର ଚରିତ୍ର ପରିଶୋଧନ, ଆନୁସଙ୍ଗିକ ଗୁଣର ବିକାଶ ଓ ଶିକ୍ଷାର ବିଭିନ୍ନ ଦିଗ ପ୍ରତି ଆଲୋଚନା ପୂର୍ବକ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ସନ୍ଧ୍ୟା ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଦଶମ ଶ୍ରେଣୀର ୯୨ ଜଣ ଏବଂ ଦ୍ୱାଦଶ ବିଜ୍ଞାନର ୪୭, ବାଣିଜ୍ୟରେ ୯୦%ରୁ ଅଧିକ ନମ୍ବର ରଖିଥିବା ୪ ଜଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ପର୍ଯ୍ୟବେକ୍ଷକ ବରଦା ପ୍ରସାଦ ପାଇକରାୟ ଧନ୍ୟବାଦ ଦେଇଥିଲେ।