Categories: ଖେଳ

ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୦।୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ଯୁବ ଆରୋହଣକାରୀଙ୍କୁ କ୍ରୀଡ଼ା ସଚିବ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା କରିଛନ୍ତି। ‘ଯୁବ ଆରୋହଣକାରୀଙ୍କ ପାଇଁ ହିମାଳୟାନ ଅଭିଯାନ ଏକ ବଡ଼ ଚ୍ୟାଲେଞ୍ଜ ହେବ’ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ପାଳନ କରିବା ଅବସରରେ ୨୦୧୬ଠାରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ପ୍ରତିବର୍ଷ ହିମାଳୟାନ ଅଭିଯାନ ଆୟୋଜନ କରାଯାଇ ଆସୁଛି। ଯୁବା ପର୍ବତାରୋହୀଙ୍କୁ ଶୃଙ୍ଖଳା, ନେତୃତ୍ୱ ନେବାର ଦକ୍ଷତା ଓ ଟିମ୍‌ ସ୍ପିରିଟ୍‌ ଶିଖାଇବା ଦୁଃସାହସିକ ଅଭିଯାନର ଲକ୍ଷ୍ୟ। ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଫିଟ୍‌ନେସ ଟେଷ୍ଟ ପରୀକ୍ଷା ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ପର୍ବତାରୋହୀଙ୍କଠାରୁ ମିଳୁଥିବା ପ୍ରତ୍ୟୁତ୍ତର ଆମକୁ ହିମାଳୟ ଅଭିଯାନ ଜାରି ରଖିବାକୁ ପ୍ରୋତ୍ସାହିତ କରୁଛି ବୋଲି କ୍ରୀଡ଼ା ସଚିବ ଏହି ଅବସରରେ କହିଛନ୍ତି।
ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେଶନ (ଟିଏସ୍‌ଏଏଫ୍‌) ସହଯୋଗରେ ଆୟୋଜିତ ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଚଳିତ ମାସ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଲେହ ଅଞ୍ଚଳରେ ମାଉଣ୍ଟ ଷ୍ଟକ୍‌ କାଙ୍ଗ୍ରି (୨୦,୧୮୭ ଫୁଟ)ଠାରେ ଅନୁଷ୍ଠିତ ହେବ। ଚୟନ ପାଇଁ ଆୟୋଜିତ ଦୁଇ ପର୍ଯ୍ୟାୟ ବିଶିଷ୍ଟ ପ୍ରସ୍ତୁତି କ୍ୟାମ୍ପରୁ ଶେଷରେ ୧୦ ବାଳକ ଓ ୫ ବାଳିକା ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଜଣାଶୁଣା ଏଭରେଷ୍ଟ ଆରୋହୀ ଗଶେଣ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପ୍ରତିଯୋଗୀମାନେ ମାଉଣ୍ଟ ଷ୍ଟକ ଗସ୍ତ କରିବେ। ପ୍ରଥମ ଭାରତୀୟ ମହିଳା ମାଉଣ୍ଟ ଏଭରେଷ୍ଟ ପର୍ବତାରୋହଣକାରୀ ପଦ୍ମଶ୍ରୀ ବଚେଦ୍ରୀ ପାଲ ଏହାକୁ ଗାଇଡ୍‌ କରିବେ। ଏହି ପ୍ରୋଗ୍ରାମକୁ ସୁପରିଚାଳନା କରିବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରୋଗ୍ରାମ ଅଫିସର ହରେଶ କୁମାର ମିଶ୍ର ଅଭିଯାତ୍ରୀ ଦଳଙ୍କ ସହ ଲେହସ୍ଥିତ ବେସ୍‌ କ୍ୟାମ୍ପ୍‌କୁ ଗସ୍ତ କରିବେ ବୋଲି ଜଣାପଡ଼ିଛି।

Share