ବିଜିୟୁ ଓ ଏମ୍‌ଏମ୍‌ୟୁ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଓ ମାଲେସିଆସ୍ଥିତ ମଲ୍ଟି ମିଡିଆ ୟୁନିଭର୍ସିଟି (ଏମ୍‌ଏମ୍‌ୟୁ) ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି। ବୁଝାମଣା ଅନୁସାରେ ଗବେଷଣା ସହ ଷ୍ଟୁଡେଣ୍ଟ ଫାକଲ୍ଟି ଏକ୍ସଚେଞ୍ଜ ପ୍ରୋଗ୍ରାମ ଜରିଆରେ ଉଭୟ ଶିକ୍ଷାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବାକୁ ପରସ୍ପରକୁ ସହଯୋଗ ପ୍ରଦାନ କରିବେ। ବିଜିୟୁର କୁଳପତି ଡ. ପ୍ରଫେସର ସୁଧାକର ପଣ୍ଡା ଏବଂ ଏମ୍‌ଏମ୍‌ୟୁର ସଭାପତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଦାତୁକ୍‌ ଟିଏସ୍‌ ଏବଂ ଡ. ଅହମ୍ମଦ ରଫି ଇସାକ୍‌ ଏହି ବୁଝାମଣା ସ୍ବାକ୍ଷରିତ କରିଥିଲେ। ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ଡ. ପରମେଶ୍ୱର ନାୟକ ଏବଂ ଏମ୍‌ଏମ୍‌ୟୁ ଏଫ୍‌ଓବିର ଡିନ୍‌ ଗେରାଲ୍ଡ ଗୋ ଗୁଆନ୍‌ ଉପସ୍ଥିତ ଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ବିଜିୟୁର ୪୦ଜଣ ଛାତ୍ରୀଛାତ୍ର ପ୍ରଫେସର ସୁଜିତ କୁମାର ପାତ୍ର ଓ ପ୍ରଫେସର ଅର୍ଚ୍ଚନା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଏକ ସପ୍ତାହ ପର୍ଯ୍ୟନ୍ତ ଏମ୍‌ଏମ୍‌ୟୁକୁ ଷ୍ଟଡି ଟୁର୍‌ରେ ଯାଇଥିଲେ। ଅନ୍ୟପକ୍ଷରେ ଦୀର୍ଘ ୨୦ବର୍ଷ ଧରି ଶିକ୍ଷାକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଏମ୍‌ଏମ୍‌ୟୁ ମାଲେସିଆ ଛାତ୍ରୀଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନ ପ୍ରଦାନ କରିଆସୁଥିବାବେଳେ ଏହି ଶିକ୍ଷାନୁଷ୍ଠାନ ସହ ଏମ୍‌ଓୟୁ ଦ୍ୱାରା ବିଜିୟୁ ଛାତ୍ରୀଛାତ୍ରମାନେ ବିଶେଷ ଉପକୃତ ହେବେ। ଏହାବ୍ୟତୀତ ବିଜିୟୁର ସ୍ଲୋଭେନିଆସ୍ଥିତ ୟୁନିଭର୍ସିଟି ଅଫ୍‌ ଲୁବ୍ଲିନିୟା, ଫ୍ରାନ୍ସର ଏସ୍କା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ଏବଂ ପୋଲାଣ୍ଡସ୍ଥିତ କୋଜମିନ୍‌ସ୍କି ସହ ସହବନ୍ଧନ ରହିଛି।