ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା ସହରର ଚମାରପଡାରେ। ଟିକୁଙ୍କୁ ଉପକାରାଗାର ପରିସର ଶୌଚାଳୟ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପେଟକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଟିକୁଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କାରାଗାରଟି ପରିଚାଳନାଗତ ଅବ୍ୟବସ୍ଥା ଓ ସୁରକ୍ଷାକୁ ନେଇ କିଛି ମାସ ହେବ ଚର୍ଚ୍ଚାରେ ଥିଲା। ସୋନପୁର ଥାନାରେ କଏଦୀ ମୃତ୍ୟୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଲୋକେଶ କୁମାର ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହ ଉପକାରାଗାରକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଏପ୍ରିଲ ୨୪ ତାରିଖରେ ବିନିକା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଫାୟାର ମ୍ୟାନ ଦୁଷ୍ମନ୍ତ କିଷାନଙ୍କୁ ଗଳାକାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲେ ଟିକୁ । ୨୫ ତାରିଖରୁ ସେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ। ରବିବାର ପୂର୍ବାହ୍ନରେ ସେ ପାଇଖାନା ଯାଇଥିଲେ। ଭିତରୁ ବାହାରକୁ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ପଡିଥିଲା। ତେବେ ଦାଢି କାଟିବା ପାଇଁ ବ୍ୟବହୃତ ବ୍ଲେଡ୍‌ରେ କଏଦୀ ନିଜ ପେଟକୁ କାଟି ଆତ୍ମହତ୍ୟା କରିଥିବା କାରାଗାରର ଭାରପ୍ରାପ୍ତ ଅଧିକ୍ଷକ ଦଶମୀ ବାଗ ପ୍ରକାଶ କରିଛନ୍ତି। ସେ ନିଜେ ଏହାର ତଦନ୍ତ କରିବେ। ଅନ୍ୟପକ୍ଷେ ବ୍ଲେଡ୍‌ କଏଦୀଙ୍କ ପାଖକୁ କିପରି ଗଲା। ଦାୟିତ୍ୱରେ ଥିବା ମୁଖ୍ୟ କାରାରକ୍ଷୀ ଓ କାରାରକ୍ଷୀ କଣ କରୁଥିଲେ, ସେ ନେଇ ପ୍ରଶ୍ନ ଉଠୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୩ ଜଣ ବିଶେଷଜ୍ଞ ମୃତଦହେ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପୋଲିସ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।