ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିଗ୍‌ବସ୍‌ର ୧୩ତମ ସିଜନ୍‌ର ଲୋକପ୍ରିୟତାକୁ ଦେଖି ଲକ୍‌ଡାଉନ୍‌ ସମୟରେ ଶୋ’କୁ ପୁନଃ ପ୍ରସାରିତ କରାଯାଉଛି। ଏସବୁ ଭିତରେ ଅନେକ ସମ୍ପର୍କ ଗଢ଼ି ଭାଙ୍ଗିଥିବା ଦେଖିବାକୁ ମିଳୁଛି।

ଏକଦା ବିଗ୍‌ବସ୍‌ ଘରେ ଶେହନାଜ ଗିଲ୍‌ ଏବଂ ରଶ୍ମୀ ଦେଶାଇଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଥିଲା। ହେଲେ ଏବେ ତାହା ନାହିଁ। ଶେହନାଜ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି। ଏପରି କିଛି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ରଶ୍ମୀ।

ଏକ ସାକ୍ଷାତକାରରେ ରଶ୍ମୀ କହିଛନ୍ତି, ଘରୁ ବାହାରିବା ପରେ ଶେହନାଜ ଓ ମୁଁ ନିଜ ନିଜ ଶୋ’ରେ ବ୍ୟସ୍ତ ରହୁଥିଲେ। ତେଣୁ ପରସ୍ପର ସହ କଥା ହେବାକୁ ସମୟ ନ ଥିଲା। ହେଲେ ଶେହନାଜଙ୍କ ଜୀବନରେ କିଏ ରହିବେ ନରହିବେ ତାହା ତାଙ୍କ ବ୍ୟକ୍ତିଗତ ଇଚ୍ଛା। ବିଗ୍‌ବସ୍‌ ଘରେ ମୁଁ ସର୍ବଦା ତାଙ୍କ ପାଇଁ ଉପସ୍ଥିତ ରହୁଥିଲି। ଯଦି ଭବିଷ୍ୟତରେ ମୋତେ ସେ ଖୋଜନ୍ତି, ମୁଁ ଉପସ୍ଥିତ ରହିବେ। ମୁଁ ତାଙ୍କଠାରୁ ବଦଳରେ କିଛି ଚାହିଁନାହିଁ। ଯଦି ସେ କଥା ହେବାକୁ ଇଚ୍ଛୁକ ନାହାନ୍ତି, ତେବେ ଠିକ୍‌ ଅଛି ବୋଲି ରଶ୍ମୀ କହିଛନ୍ତି।

ରଶ୍ମୀ ଏବେ ନାଗିନ୍‌-୪ ଧାରାବାହିକରେ କାମ କରୁଛନ୍ତି। ଶୋ’କୁ ଭଲ ଟିଆର୍‌ପି ମଧ୍ୟ ମିଳୁଛି। ଶୋ’ରେ ସିଦ୍ଧାର୍ଥଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହାକୁ ସିଦ୍ଧାର୍ଥ ଖଣ୍ଡନ କରିଛନ୍ତି। ଅପରପକ୍ଷେ ରଶ୍ମୀ ସିଦ୍ଧାର୍ଥ ସହ କାମ କରିବାକୁ ପ୍ରସ୍ତୁତ ଥିବା କହି ସାରିଛନ୍ତି।

Share