Categories: ବାଣିଜ୍ୟ

ବିକ୍ରି ହେବ ଏୟାର ଇଣ୍ଡିଆର ୧୦୦% ଅଂଶଧନ

ନୂଆଦିଲ୍ଲୀ,୨୧-୧୦: ସରକାର ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି ନେଇ ଯୋଜନା ରଖିଛନ୍ତି। ଏଥି ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଧାରାରେ ଆସନ୍ତା ମାସରେ ପ୍ରାଥମିକ ବିଡ୍‌ ଆହ୍ବାନ କରାଯିବ। କ୍ଷତିରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀରେ ଅଂଶଧନ ହାସଲ ନେଇ କିଛି କମ୍ପାନୀ ଆଗ୍ରହ ଦେଖାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ରବିବାର ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ୫୮,୦୦୦ କୋଟି ଟଙ୍କାର ଋଣ ରହିଛି। ଏହା ବୃହତ୍‌ ପରିମାଣର ପରିଚାଳନା କ୍ଷତି ମଧ୍ୟ ସହୁଛି।
ଅଂଶଧନ ବିକ୍ରି ପ୍ରକ୍ରିୟା ଅନ୍ତର୍ଗତ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦସ୍ତାବିଜ କୁ ବର୍ତ୍ତମାନ ଚୂଡାନ୍ତ ରୂପ ଦିଆଯାଉଥିବା ସୂଚନା ରହିଛି। କମ୍ପାନୀର ୧୦୦% ଅଂଶଧନ ବିକ୍ରି ଯୋଜନା ଧାର୍ଯ୍ୟ ହୋଇଥିବା ବେଳେ ଚଳିତ ମାସ କିମ୍ବା ଆଗାମୀ ମାସରେ ଏ ନେଇ ବିଡ୍‌ ଆହ୍ବାନ କରାଯାଇ ପାରେ। ନୂଆ କରି ଉନ୍ନତିକରଣ ହୋଇଥିବା ଇ-ବିଡିଂ ସିଷ୍ଟମରେ ଏହି ପ୍ରକ୍ରିୟା ସମ୍ପାଦିତ ହେବ। ଅକ୍ଟୋବର ୨୨ରେ ବିମାନ କମ୍ପାନୀର ବୋର୍ଡ ବୈଠକ ବସିବ। ଆର୍ଥତ୍କ ବର୍ଷ ୨୦୧୯ର ବିଭିନ୍ନ କାର୍ଯ୍ୟଧାରା ଉପରେ ଏଠାରେ ତର୍ଜମା କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା ଏକ ରିଭ୍ୟୁ ବୈଠକ ଡାକିଥିଲେ।
ଘରୋଇକରଣ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଶ୍ରମିକ ସଙ୍ଗଠନଗୁଡିକ ସହ ବିମାନ କମ୍ପାନୀର ପରିଚାଳନା ସଂସ୍ଥା ପକ୍ଷରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନିଯୁକ୍ତି ଚାଲିଥିବା ଭୟରେ ଶ୍ରମିକ ସଙ୍ଗଠନଗୁଡିକ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡ ନାମକ ସ୍ପେଶାଲ ପରପୋଜ ଭେଇକିଲ ଦ୍ୱାରା ବଣ୍ଡ ଜାରି କରାଯିବା ସହ ବିମାନ କମ୍ପାନୀର ୩୦ ହଜାର କୋଟି ଟଙ୍କାର ଋଣକୁ ସୁଝି ବାଲାନ୍ସ ଶିଟ୍‌ ସ୍ବଚ୍ଛ କରିବା ଲାଗି ଯୋଜନା ରଖାଯାଇଛି।

Share