ବିକ୍ରିହେଲା ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ୱାରା ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଜାତୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ‘ଖଦି ବଜାର’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ମେଳାର ସଫଳତା ପାଇଁ ଅଂଶଗ୍ରହଣକାରୀ ସମସ୍ତ ଉଦ୍ୟୋଗୀ, ଜନସାଧାରଣ ଓ ବୋର୍ଡ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁ ଶେଷ ୩ଦିନ ଖଦି ବଜାରର ବିକ୍ରିବଟା ସୁଚାରୁ ରୂପେ କରାଯାଇ ନ ପାରିବାରୁ ପ୍ରଦର୍ଶନୀର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଦୀର୍ଘ ୧୧ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରୁ ୭୦ରୁ ଅଧିକ ଉଦ୍ୟୋଗୀ ଅଂଶଗ୍ରହଣ କରି ସେମାନଙ୍କ ସାମଗ୍ରୀ ବିକ୍ରିବଟା କରିଥିଲେ। ଏଥିରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସାମଗ୍ରୀ ବିକ୍ରି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟାରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଥିଲା। ଦୈନିକ ପ୍ରାୟ ୬ ହଜାରରୁ ଅଧିକ ଲୋକ ଏହି ମେଳା ପରିଦର୍ଶନ ପାଇଁ ଆସୁଥିଲେ। ଆଗାମୀ ବାଲିଯାତ୍ରା ମହୋସତ୍ବରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ୱାରା ଆର୍ଥତ୍କ ସହାୟତାପ୍ରାପ୍ତ ଏକକ ଉଦ୍ୟୋଗୀମାନେ ସେମାନଙ୍କ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ବୋଲି ବୋର୍ଡ ସଭାପତି ପାଇକରାୟ କହିଥିଲେ। ଉଦ୍‌ଯାପନୀ ସମାରୋହରେ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଷ୍ଟଲକୁ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ୩ଟି ପ୍ରମୁଖ ଷ୍ଟଲକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱରର ପ୍ରମୁଖ ଅନୁଷ୍ଠାନ ଶିଶୁ ଜାଗରଣ ମଞ୍ଚ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୋର୍ଡ ସଚିବ ସରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ଉଦ୍‌ଯାପନୀ ସମାରୋହ ପରିଚାଳନା କରିଥିଲେ।