ବିକାଶ ଲାଗି ଅଣ୍ଟା ଭିଡିଲା ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ

ରୂପ୍‌ସା,୧୯।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପ୍‌ସା ଡାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୂପ୍‌ସା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପରିଷଦ ସାଧାରଣ ସମ୍ପାଦକ ସୁଧାକର ଗିରି, ପ୍ରାକ୍ତନ ଜିଲାପରିଷଦ ସଭ୍ୟ ବରଦା ପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ବିଇଓ ଜୟନ୍ତ କୁମାର ପାଣିଗ୍ରାହୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ପଣ୍ଡାଶର୍ମା, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଚକ୍ରଧର ଆଚାର୍ଯ୍ୟ, ଡାକ୍ତର ମହାପାତ୍ର, ନିରଞ୍ଜନ ବାରିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗଦେଇ ଗମନାଗମନ, ସ୍ବାସ୍ଥ୍ୟସେବା, ରେଳ ଫୁଟ୍‌ ଓଭରବ୍ରିଜ୍‌ ସମ୍ପ୍ରସାରଣ କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱାରୋପ କରିଥିଲେ।
ରୂପ୍‌ସା ରେଳ ଫାଟକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନେଜ୍‌ କାର୍ଯ୍ୟର ପୂର୍ଣ୍ଣାଙ୍ଗୀକରଣ, ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ, ରେଳ ଜଙ୍କଶନରେ ୧ନଂ ପ୍ଲାଟଫର୍ମ ବାହାରପଟୁ ୪ନଂ. ପ୍ଲାଟଫର୍ମକୁ ଫୁଟ ଓଭରବ୍ରିଜ୍‌ରେ ସିଧା ସମ୍ପ୍ରସାରଣ, ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ବୈଠକରେ ଦର୍ଶାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟରେ ତଦାରଖ ଓ ସହଯୋଗ ପାଇଁ ପୂର୍ତ୍ତ ବିଭାଗ ଏସ୍‌ଡ଼ିଓଙ୍କ ସମେତ ଏକ ୭ଜଣିଆ କାର୍ଯ୍ୟକାରୀ ଗଠନ ହୋଇଥିଲା। ରାସ୍ତା ପ୍ରଶସ୍ତୀକରଣ ପାଇଁ ସରକାରୀ ଜାଗାକୁ ଯେଉଁ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି ତାହାକୁ ଉଚ୍ଛେଦ ପାଇଁ କମଟି ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ହୋଇଥିଲା।