ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର ଭିତ୍ତିଭୂମି ବିକାଶ, ଶିଳ୍ପ, କୃଷି ଏବଂ ଅନ୍ୟ କ୍ଷେତ୍ର ବିକାଶରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ(ଏଆଇବିଓସି) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୀୟମଠାରେ ଶୁକ୍ରବାର ଅନୁଷ୍ଠିତ ବ୍ୟାଙ୍କ ଜାତୀୟକରଣର ୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଏହା ମତ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜୟ କୁମାର ସାହୁ ଯୋଗ ଦେଇ ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କଗୁଡିକର ଭୂମିକା ଏବଂ ସରକାରଙ୍କ ପୁଞ୍ଜୀକରଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କ ଶିଳ୍ପର ଇତିହାସ ଏବଂ ଜାତୀୟକରଣର ଆବଶ୍ୟକତା ଉପରେ ମତ ରଖି ଅର୍ଥନୀତିଜ୍ଞ ଡ.ଦିବାକର ନାୟକ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସହଭାଗିତା ବିନା ୫ ଲକ୍ଷ କୋଟି ଡଲାର ଅର୍ଥନୀତି କଥା ଚିନ୍ତା କରାଯାଇ ନ ପାରେ। କାର୍ଯ୍ୟକ୍ରମରେ ରାଜ୍ୟ ଏଆଇବିଓସି ସଭାପତି ମନୋରଞ୍ଜନ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ସବ୍ୟସାଚୀ ସ୍ବାଇଁ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏଥିରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଅଫିସର୍ସ ମହାସଂଘ ସଭାପତି ସମ୍ବିତ ମିଶ୍ର, ରାଜ୍ୟ ସଭାପତି ଅରୁଣ ବିଶୋୟୀ, ପିଏନ୍‌ବି ଅଧିକାରୀ ସଂଘ ଅଧ୍ୟକ୍ଷ ପ୍ରମୋଦ ମେକାପ, ଏଆଇବିଓସି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସେଣ୍ଟ୍ରାଲ ବ୍ୟାଙ୍କ ଅଧିକାରୀ ସଂଘ ସାଧାରଣ ସମ୍ପାଦକ ଦାମୋଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।