ବିଏମ୍‌ସି ସେବାକୁ ନେଇ ଲୋକଙ୍କ ଅସନ୍ତୋଷ

ଭୁବନେଶ୍ୱର, ୮ା୪ (ବ୍ୟୁରୋ): ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସହରବାସୀଙ୍କ ନିଦ ହଜିଛି। ସହରର ଅଧିକାଂଶ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ସିଲ୍‌ କରିଦିଆଯାଇଛି। ଏଭଳି ସ୍ଥଳେ ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ହେଲେ ଏହି ସେବାକୁ ନେଇ ଏବେ ନାନା ଅଭିଯୋଗ ହୋଇଛି। ସେବାରୁ ବଞ୍ଚତ୍ତ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଟୁଇଟରରେ ଅଭିଯୋଗ ବଢ଼ି ଚାଲିଛି। ଲୋକଙ୍କ ଘର ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ସହ ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଭ୍ୟାନ୍‌ରେ ସାମଗ୍ରୀ ଯୋଗାଣର ବ୍ୟବସ୍ଥା ହୋଇଛି। ଜୋନ୍‌ ଅନୁସାରେ ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବର ଜାରି କରାଯାଇଥିଲେ ମଧ୍ୟ ଲୋକେ ଯୋଗାଯୋଗ କରି ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅଧିକାଂଶ ସମୟରେ ଫୋନ୍‌ ଅପହଞ୍ଚ ରହୁଛି। ଯେତେବେଳେ ଲାଗୁଛି ସେତେବେଳେ କିଏ ଫୋନ୍‌ କାଟି ଦେଉଛି ତ କିଏ ଉତ୍ତର ଦେଉନାହିଁ। ସେହିଭଳି କ୍ଷୀର, ଦହି ଭଳି ଅତ୍ୟାବଶ୍ୟକ ଦୁଗ୍ଧଜାତ ଦ୍ରବ୍ୟ ପାଇବାରୁ ମଧ୍ୟ ଅଧିକାଂଶ ବଞ୍ଚତ୍ତ ହେଉଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଟୁଇଟ୍‌ର ଉତ୍ତର ମଧ୍ୟ ଦିଆଯାଉଛି। କେବଳ ଭିଆଇପି ଅଞ୍ଚଳରେ ସାମଗ୍ରୀ ପହଞ୍ଚାଇବାକୁ ବିଏମ୍‌ସି ଅଧିକ ଗୁରୁତ୍ୱ ଦେଉଥିବାରୁ ଅନ୍ୟ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉନି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।