ବାହୁଡ଼ାରେ ୧୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ପୁରୀ ଅଫିସ, ୧୩।୭: ବାହୁଡ଼ା ଯାତ୍ରାରେ ଜନ୍ମବେଦିରୁ ରତ୍ନବେଦିକୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଫେରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା। ଅପରାହ୍ନରେ ରଥ ଟାଣିବା ବେଳେ ଭିଡ଼ ମଧ୍ୟରେ ଠେଲାପେଲାରେ ୧୦୦ରୁ ଊର୍ଦ୍ଧ୍ୱ ଭକ୍ତ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଜିଲା ସଦର ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି। ଶରଧାବାଲିରେ ଦର୍ଶନ ବେଳେ ବହୁ ଭକ୍ତ ଠେଲାପେଲାରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅନୁଭବ କରି ଫେରିଥିବା ଜଣାପଡିଛି। ସେହିପରି ସମୁଦ୍ର ସ୍ନାନ ବେଳେ ଲହଡି ମାଡ଼ରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ସିଂହଦ୍ୱାର ନିକଟରେ ତିନି ରଥ ଲାଗିବା ପରେ ରଥାରୂଢ ଠାକୁରଙ୍କ ଦର୍ଶନ ଲାଗି ଭକ୍ତଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦର୍ଶନ ସମୟରେ ସିଂହଦ୍ୱାର ନିକଟରେ ଠେଲାପେଲା ହୋଇଥିଲା। ଦୋଳମଣ୍ଡପ ସାହି ନିକଟରେ ଠେଲାପେଲାରେ ଶତାଧିକ ମହିଳା, ବୃଦ୍ଧା, ବୃଦ୍ଧ ଆହତ ହୋଇଥିଲେ। ସେମାନଙ୍କୁ ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।