ବାହାର ରାଜ୍ୟ ଶ୍ରମିକଙ୍କୁ କାଉନ୍ସେଲିଂ କଲା ମନସ୍ତତ୍ୱବିତ୍ ଟିମ୍

ଛତ୍ରପୁର,୫।୪ (ଡି.ଏନ.ଏ. )- ବାହାର ରାଜ୍ୟର ଶ୍ରମିକମାନଙ୍କୁ ଅତିଥି ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ଲକ ଡାଉନ ଗଞ୍ଜାମରେ ଲାଗୁ ହୋଇଛି ଏଥିପାଇଁ ଉକ୍ତ ଶ୍ରମିକ ମାନେ କାମ ପାଉନାହାନ୍ତି। ଏପରିକି ଏମାନେ ନିଜ ଘରକୁ ଫେରିପାରୁନାହାନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ଗୋଳନ୍ଥରା ନିକଟରେ ଥିବା ରୋଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ରଖାଯାଇଛି। ଏମାନଙ୍କ ପାଇଁ ଖାଇବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଘରକୁ ଫେରିପାରୁ ନ ଥିବା ଓ କାମ ମିଳୁ ନ ଥିବା ଲାଗି ଯେପରି ଏମାନଙ୍କର ମାନସିକ ଚାପ ବଢିବନି ତାର ଧ୍ୟାନ ରଖାଯାଇଛି। ଏମାନଙ୍କୁ ପ୍ରଶାସନ କାଉନସେଲିଂ ପାଇଁ ଏକ ସ୍ବେଛାସେବୀ ମନସ୍ତତ୍ବବିତ ଟିମ ସେଠାକୁ ପଠାଯାଇଥିଲା। ଏହି ଟିମ କାଉନସେଲିଂ କରିଛି। ସେହିପରି ରାଞ୍ଚିରୁ ଚେନ୍ନାଇ ଯାଉଥିବା ଟ୍ରକକୁ ଜବତ କରି ସେଥିରୁ 60 ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶ୍ରମିକ। ଏମାନଙ୍କୁ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ରଖାଯାଇ ଖାଇବା ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।