‘ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ’

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସିଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅନୁରୋଧ କରିଛନ୍ତି। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଭିଡିଓ କନ୍‌ଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ପାଶ୍ବାନଙ୍କ ଅଧ୍ୟକ୍ଷତାରେ କରିଥିଲେ। ସ୍ବାଇଁ କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରିପ୍ରେକ୍ଷୀରେ ଆଗୁଆ ତ୍ରୈମାସିକ ରାଶନ୍‌ ନିମନ୍ତେ ଏ ପର୍ଯ୍ୟନ୍ତ ୯୩ ପ୍ରତିଶତ ଖାଦ୍ୟଶସ୍ୟ ଉଠାଣ ହୋଇଛି। ୫୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ଏ ପର୍ଯ୍ୟନ୍ତ ରାଶନ କାର୍ଡଧାରୀଙ୍କୁ ୫୬ ଲକ୍ଷ ୧୪ ହଜାର ୯୪୧ ଜଣ ପିଡିଏସ୍‌ ରାଶନ୍‌ କାଡଧାରୀଙ୍କୁ ୫୬୧ କୋଟି ୪୯ ଲକ୍ଷ ୪୧ ହଜାର ଟଙ୍କା ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ରାଜ୍ୟରେ ଖରିଫ୍‌ ବିପଣନ ଋତୁ ୨୦୧୯-୨୦ ନିମନ୍ତେ ୧.୪୫ ଲକ୍ଷ ଗାଣ୍ଠି ଝୋଟ ଅଖା ଆବଶ୍ୟକ। ଏ ପର୍ଯ୍ୟନ୍ତ ୧.୦୩ ଲକ୍ଷ ଗାଣ୍ଠି ଯୋଗାଣ ହୋଇଛି। ବକେୟା ଅଖାକୁ ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ପାଶ୍ବାନଙ୍କୁ ସେ ଅନୁରୋଧ କରିଛନ୍ତି। ସେହିପରି ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ସରକାରଙ୍କ ଠାରୁ ମିଳିବାକୁ ଥିବା ମୋଟ ୬୧୩୨.୮୬ କୋଟି ଟଙ୍କାକୁ ତୁରନ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ସ୍ବାଇଁ ଅନୁରୋଧ କରିଛନ୍ତି।