ବାସହରା ପରିବାରଙ୍କୁ ଥଇଥାନ କରା ନ ଯିବା ମାମଲା :ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ)

୧୯୮୨ ମସିହାରେ କନ୍ଦଳ ନଦୀ ବନ୍ୟାରେ କଟକ ଜିଲା କଣ୍ଟାପଡ଼ା ତହସିଲର ପ୍ରାୟ ୨୫ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ସେମାନେ ବାସହରା ହୋଇ ସରକାରୀ ଜାଗାରେ ରହୁଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ନାହିଁ। ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶନିବାର ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ତଥା କଟକ ଜିଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆଗାମୀ ଡିସେମ୍ବର ୨୨ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କନ୍ଦଳ ନଦୀରେ ବନ୍ୟା କାରଣରୁ କଣ୍ଟାପଡା ତହସିଲର ଆରିସଳଘାଟ ନିକଟରେ ଏକ ବଡ ଘାଇ ହୋଇଥିଲା। ଫଳରେ ପ୍ରାୟ ୨୫ ପରିବାର ତାଙ୍କ ଘରଡିହ ହରାଇଥିଲେ। ସେମାନଙ୍କ ଚାଷଜମି ମଧ୍ୟ ନଦୀଗର୍ଭକୁ ଚାଲିଯାଇଥିଲା। ତେଣୁ ବନ୍ୟା ପ୍ରପୀଡ଼ିତ ପରିବାରଗୁଡ଼ିକ ସେହି ମୌଜା ଅଧୀନ ଅଡଶପୁର ଅଞ୍ଚଳର ଏକ ଢିପ ସ୍ଥାନରେ ରହୁଛନ୍ତି। ଇତିମଧ୍ୟରେ ୩୭ ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ସେମାନଙ୍କ ନାମରେ ଜମିପଟ୍ଟା କରା ନ ଯାଇ ସେମାନଙ୍କଠାରୁ ଜବରଦଖଲକାରୀ ଭାବେ ଜରିମାନା ଆଦାୟ କରାଯାଉଛି। ଏ ନେଇ ଭୁବନେଶ୍ୱରର ୫ଜଣ ଆଇନଜୀବୀ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ବିଚାରପତି ଅମିତାଭ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିିଶା ରିଲିଫ କୋଡର ୨୮ ପରିଷଦ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜସ୍ବ ବିଭାଗର ଉଦାସୀନତା ଯୋଗୁ ତାହା ହୋଇପାରି ନାହିଁ। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ପ୍ରତି ସରକାରଙ୍କ ସହାନୁଭୂତି ଉପରେ ଆଇନଜୀବୀ ବିଜୟ କୁମାର ପଣ୍ଡା, ଗୋଲଖ ପ୍ରସାଦ ନାୟକ ପ୍ରମୁଖ ପ୍ରଶ୍ନ କରିଛନ୍ତି। ଏହି ପ୍ରପୀଡ଼ିତ ପରିବାରଙ୍କ ନିକଟରେ ଜମିପଟ୍ଟା ଥିବାରୁ ସେମାନଙ୍କ ପିଲାମାନେ ପାଠ ପଢା, ଚାକିରି ସମେତ ଆୟ, ବାସସ୍ଥାନ ଓ ଜାତିଗତ ଇତ୍ୟାଦି ପ୍ରମାଣପତ୍ର ପାଇବାରେ ହଇରାଣ ହେଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।