ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

ବସ୍ତା, ୧୪।୧୧(ସ୍ବ.ପ୍ର.)-ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। ବସ୍ତା ବ୍ଲକ ସିଂଲା ଥାନା କଇନଗରୀ ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ଏକ ବାଲ୍ୟବିବାହ ଚାଲିଥିବା ବେଳେ ବାଲିଆପାଳ ଚାଇଲ୍ଡଲାଇନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଏହାକୁ ବନ୍ଦ କରାଯାଇଛି।
ଏହି ପଞ୍ଚାୟତର ଜଣେ ନାବାଳିକାଙ୍କ ବିବାହ ବସ୍ତା ଥାନା ଅଞ୍ଚଳର ଏକ ଯୁବକଙ୍କ ସହ ସ୍ଥିର ହୋଇଥିଲା। ବୁଧବାର ରାତିରେ ବାହାଘର ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ବାଲିଆପାଳ ଚାଇଲ୍ଡଲାଇନ ଏହାକୁ ବନ୍ଦ କରିଥିଲା। ଏହାସହ ବାଲ୍ୟବିବାହ କରାଇଲେ ଥିବା ଦଣ୍ଡବିଧି ଉପରେ କନ୍ୟା ମାତାପିତାଙ୍କୁ ସଚେତନ କରାଇଥିଲେ। ବସ୍ତା ସିଡ଼ିପିଓ ଚମ୍ପାମଣି ମୁର୍ମୁ, ଚାଇଲ୍ଡ ହେଲ୍ପଲାଇନର ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ, ଟିମ୍‌ ମେମ୍ବର ଉତ୍ତମ ନାୟକ ପ୍ରମୁଖ ସାମିଲ ଥିଲେ। କନ୍ୟା ପିତା ଲିଖିତ ପ୍ରତିଶ୍ରୁତି ଚାଇଲ୍ଡଲାଇନକୁ ଦେବା ପରେ ବିବାହ ବନ୍ଦ ହୋଇଥିଲା।