ବାଲେଶ୍ୱରକୁ ଆସିଲେ ପଙ୍ଗପାଳ: ନଷ୍ଟ କଲେଣି ବ୍ୟାପକ ଗଛପତ୍ର, ଲୋକେ ଭୟଭୀତ

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଜିଲା ଔପଦା ବ୍ଲକ ବଉଳଗଡ଼ିଆସ୍ଥିତ ପାହାଡ଼ ପାଦଦେଶରେ ରବିବାର ପୂର୍ବାହ୍ନରେ ହଜାର ହଜାର ପଙ୍ଗପାଳ ଦେଖିବାକୁ ମିଳିଛି। ଦେଶରେ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ି ଆସୁଥିବା ବେଳେ କଛିଦିନ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଥିବା ପଙ୍ଗପାଳ ବିଭିନ୍ନ ରାଜ୍ୟରେ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ଏହି ପୋକ ଗଛପତ୍ର ନଷ୍ଟ କରିବା ସହ ଘରେ ପଶି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ଏପରି ପୋକଙ୍କ ସଂଖ୍ୟା ଶହେ କି ଦୁଇଶହରେ ସୀମିତ ନୁହେଁ, ଅଗଣିତ। ତେବେ ଏହି ପଙ୍ଗପାଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଷତି କରିବା ସହ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତର ବଉଳଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛନ୍ତି। ଏମାନେ ଗଛର ପତ୍ରଗୁଡିକୁ ଖାଇ ସଫା କରିଦେଇଛନ୍ତି। ତେବେ ସାଧାରଣ ଲୋକେ ଏପରି ପରିସ୍ଥିତିରେ ଭୟଭୀତ ଅବସ୍ଥାରେ ଅଛନ୍ତି।