Categories: ଅପରାଧ

ବାଲୁଗାଁରେ ନାକରେ ଲୁହାରଡ୍‌ ପୂରାଇ ବ୍ୟକ୍ତିଙ୍କୁ ହତ୍ୟା ଘଟଣା: ୫୦ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୧୬ା୬- ଗତ ୨୫ ଏପ୍ରିଲରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ନିଶା ସେବନ କରିଥିବା ଜଣେ ବ୍ୟକ୍ତିଙ୍କ ନାକରେ କେହି ଲୁହା ରଡ୍‌ ପୂରାଇଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୫୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଗିରଫ ହୋଇ ନ ଥିବାରୁ ସଦର ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ନ୍ୟାୟ ପାଇବା ନେଇ ସେମାନେ ଆଶା ଓ ଆଶଙ୍କାରେ ରହିଥିବା ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଘଟଣାଦିନ ମଧ୍ୟାହ୍ନ ୧୨ଟାରେ ସଦର ଥାନା ବାରବାଟୀ ଗ୍ରାମର ପ୍ରମୋଦ ପରିଡ଼ା ଗାଁ ଛକରେ ଠିଆ ହୋଇଥିଲେ। ଏହି ସମୟରେ ମଜୁରିଆପଲ୍ଲୀ ଗ୍ରାମର ପ୍ରଭାତ ନାମକ ଜଣେ ବ୍ୟକ୍ତି ତାଙ୍କୁ ନିଶା ସେବନ କରିବାକୁ ଡାକିଥିଲେ। ଉଭୟ ବାଲୁଗାଁ ବଜାରରେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ ଉଭୟ ଗୁଲି (ଅଫିମରୁ ତିଆରି ନିଶାଦ୍ରବ୍ୟ) ଖାଇଥିଲେ। କିଛି ସମୟ ପରେ କୌଣସି କାରଣକୁ ନେଇ ନିଶାସେବନ କରୁଥିବା ଅନ୍ୟ ଲୋକମାନଙ୍କ ସହିତ ପ୍ରମୋଦଙ୍କ ପାଟିତୁଣ୍ଡ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏପରି ସମୟରେ କେହିଜଣେ ପ୍ରମୋଦଙ୍କ ନାକରେ ଏକ ଲୁହାରଡ୍‌ ପୂରାଇ ଦେଇଥିଲେ। ଲୁହା ରଡ୍‌ଟି ପ୍ରମୋଦଙ୍କ ନାକପଟେ ପଶି ଆଖିପଟେ ବାହାରି ଯାଇଥିଲା। ପରେ ନିଶାସେବନ କରିଥିବା ବ୍ୟକ୍ତିମାନେ ପ୍ରମୋଦଙ୍କୁ ଚିକିତ୍ସା ପାଇଁ ବାଲୁଗାଁରେ ଥିବା ଏକ ଘରୋଇ ନର୍ସିଂହୋମ୍‌କୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କାଳେ କିଛି ଅଘଟଣ ଘଟିବ ସେହି ଭୟରେ ସାଙ୍ଗରେ ଯାଇଥିବା ଲୋକମାନେ ପ୍ରମୋଦଙ୍କୁ ନର୍ସିଂ ହୋମ୍‌ ଆଗରେ ଛାଡ଼ି ଚାଲିଯାଇଥିଲେ। ପରେ ବୋଦାପଡ଼ା ଗ୍ରାମର କିଛି ଯୁବକ ପ୍ରମୋଦଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲୁଗାଁ ଗ୍ରାମର କାର୍ତ୍ତିକ ପରିଡ଼ା ନାମକ ଜଣେ ବ୍ୟକ୍ତି ୪୦ବର୍ଷ ହେଲା ବଜାରରେ ବେଆଇନ ଭାବେ ଗୁଲିଭାଟି କରି ବିକ୍ରିବଟା କରିଆସୁଛନ୍ତି। ବକେୟା ଟଙ୍କାକୁ କେନ୍ଦ୍ର କରି କାର୍ତ୍ତିକ ତାଙ୍କ ବାପାଙ୍କୁ ମାରିଥିବା ନେଇ ପୁଅ ବିଶ୍ୱଜିତ ପରିଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କାର୍ତ୍ତିକ ଓ ଅନ୍ୟ ୩ଜଣଙ୍କ ନାମରେ ମାମଲା (ନଂ.୫୧/୧୯) ରୁଜୁ କରିଥିଲା। ଏହାସହ ପୋଲିସ ସେତେବେଳେ ଗୁଲିଭାଟିରେ ତଦନ୍ତ କରିଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଉକ୍ତ ଦୋକାନରେ ତାଲା ପଡ଼ିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସହ ପରିବାର ଲୋକେ ଫେରାର ଅଛନ୍ତି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଉଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବା ପ୍ରକାଶ କରିଥିଲେ।