ବାଲିଯାତ୍ରା ପଡ଼ିଆରେ ସମାଜର ସାଂସ୍କୃତିକ ସମାରୋହ

କଟକ ଅଫିସ, ୨୩ା୧: ‘ସମାଜ’ର ସାଂସ୍କୃତିକ ସମାରୋହ ଦ୍ୱିତୀୟ ସନ୍ଧ୍ୟା ବୁଧବାର ଉପର ବାଲିଯାତ୍ରା ପଡ଼ିିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଥିଲେ, ସମାଜ ବିଗତ ଶହେ ବର୍ଷ ମଧ୍ୟରେ ଅନେକ ଉଠାଣି ଗଡ଼ାଣି ସାମ୍ନା କରିଛି। ତଥାପି ‘ସମାଜ’ ତା’ର ସାମାଜିକ ଦାୟିତ୍ୱବୋଧରୁ ନଜର ହଟାଇ ନାହିଁ। ସ୍ବାଧୀନତା ଆନ୍ଦୋଳନ ସମୟରେ ‘ସମାଜ’ ଯେପରି ଓଡ଼ିଶାବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ସମାଜ ସଂସ୍କାରର ବାର୍ତ୍ତା ଦେଇଚାଲିଥିଲା ଏବେ ବି ଦେଶର ସାହିତ୍ୟ, ସଂସ୍କୃତି, ପରମ୍ପରା ରକ୍ଷା ଦିଗରେ ସମାଜ ନିଜ ଦାୟିତ୍ୱବୋଧରୁ ଓହରି ନାହିଁ। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଏମ୍‌ପି ଅନୁଭବ ମହାନ୍ତି, ବିଧାୟକ ଇଂ. ମହମ୍ମଦ ମୋକିମ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଭୀମସେନ ଯାଦବ, ଆଜୀବନ ସଦସ୍ୟ ଅଜୟ ସିଂହ, ‘ସମାଜ’ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।