ବାଲିମେଳାରେ ଜବାହର ନବୋଦୟ ବିଦ୍ୟାଳୟ-୨ ଲୋକାର୍ପିତ

କୋରୁକୋଣ୍ଡା, ୧୧।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ନୂତନଭାବେ ନିର୍ମିତ ଜବାହର ନବୋଦୟ ବିଦ୍ୟାଳୟ-୨ ଗୁରୁବାର ସ୍ଥାନୀୟ ଟାଉନହଲଠାରେ ଲୋକାର୍ପଣ ହୋଇଯାଇଛି। ୨୬ କୋଟି ୧୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ନିର୍ମିିତ ଏହି ବିଦ୍ୟାଳୟ ଗୃହକୁ କେନ୍ଦ୍ର ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ରମନ୍ତ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଷଷ୍ଠରୁ ଏକାଦଶ ପର୍ଯ୍ୟନ୍ତ ୨୫୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ମାଲକାନଗିରି ଜିଲା ଏକ ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିବାରୁ ଶିକ୍ଷାର ଉନ୍ନତୀକରଣ ପାଇଁ ଆଦିବାସୀ ଅନୁସୂଚିତ ଜାତି ତଥା ଗରିବ ଛାତ୍ରୀଛାତ୍ରଙ୍କ ଲାଗି ଏହି ବିଦ୍ୟାଳୟ ବରଦାନ ସଦୃଶ ହେବ ବୋଲି ଅତିଥିମାନେ କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀଛାତ୍ରଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ, ଶିବତାଣ୍ଡବ ଓ ଆଦିବାସୀ ଢେମସା ନାଚ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ପି.ଏସ୍‌.ଏସ୍‌. ରାଓ ଧନ୍ୟବାଦ ଦେଇଥିଲେ।