ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଗିରଫ

ଭଣ୍ଡାରିପୋଖରୀ,୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ମୁଢ଼ାପଦାର ପ୍ରଶାନ୍ତ ଯେନା, ରମେଶ ଯେନା ଓ ସଞ୍ଜୟ ଯେନା। ମଣିନାଥପୁର ଗ୍ରାମର ଅର୍ଜୁନ ଥାଟୋଇଙ୍କ ଅଭିଯୋଗ କ୍ରମେ ଥାନାରେ ମୁଢ଼ାପଦାର ୧୪ ଜଣଙ୍କ ନଁାରେ ଏକ ମାମଲା(ନଂ.୨୧୧/୧୯) ରୁଜୁ ହୋଇଛି। ଅପରପକ୍ଷରେ ମୁଢ଼ାପଦାର ପ୍ରଶାନ୍ତଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ଏତଲା କ୍ରମେ ୧୩ ଜଣଙ୍କ ନଁାରେ ମାମଲା (ନଂ.୨୧୨/୧୯) ରୁଜୁ କରାଯାଇଛି। ଅର୍ଜୁନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ରାତିରେ ସେ ଯାଜପୁରରୁ ଫେରୁଥିବାବେଳେ ବଲଭିଘାଟ ସେତୁ ଉପରେ ଦ୍ରୁତଗତିରେ ଏକ ବାଲି ବୋଝେଇ ଟ୍ରାକ୍ଟର ଯାଉଥିଲା। ବାଲି ଉଡ଼ି ଆଖିରେ ପଡ଼ିବାରୁ ସେ ଯାଜପୁର ଅଞ୍ଚଳର ପ୍ରଶାନ୍ତ ଯେନା ସହ ମିଶି ପ୍ରତିବାଦ କରିବାରୁ ଗଣ୍ଡଗୋଳ ହୋଇଥିଲା। ୧୩ ତାରିଖରେ ସ୍ଥାନୀୟ ମୁଗୁରେଶ୍ୱର ମନ୍ଦିରଠାରେ ସମାଧାନ ପାଇଁ ସେ ଗ୍ରାମବାସୀଙ୍କ ସହ ଯାଉଥିବାବେଳେ ବୈତରଣୀ ସେତୁ ଉପରରେ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ଏଥିରେ ଗ୍ରାମର ଉମେଶ ସ୍ବାଇଁ ଓ ଯୁଧିଷ୍ଠିର ସ୍ବାଇଁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷର ବିଜୟଲକ୍ଷ୍ମୀ ଏତଲାରେ ଦର୍ଶାଇଛନ୍ତି ଯେ, ମଣିନାଥପୁର ଗ୍ରାମର କେତେକ ଲୋକ ମାରଣାସ୍ତ୍ର ଧରି ବୈତରଣୀ ସେତୁ ଉପରେ ଗାଳିଗୁଲଜ କରୁଥିଲେ। ଏହି ସମୟରେ ବାଇକ୍‌ରେ ଆସୁଥିବା ତାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ସେମାନେ ଉଠାଇ ନେଇ ମାଡ଼ ମାରିଥିଲେ। ପୋଲିସ ତାଙ୍କୁ ମଣିନାଥପୁରରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଛି। ୨୧୧ ନଂ. କେଶ୍‌ର ଏସ୍‌ଆଇ ଅନୁରାଗ ମହାନ୍ତି ଓ ୨୧୨ ନଂ. କେଶ୍‌ର ଏସ୍‌ଡିପିଓ ମନୋରଞ୍ଜନ ସାମଲ ତଦନ୍ତ କରୁଛନ୍ତି।