ବାଲିଚର ହୋଇ ଚାଷଜମି ନଷ୍ଟ

ଦେଓଗାଁ,୧୬ା୮(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ଦେଓଗାଁ ଯୋଗୀସାଗର ତଳ ଅଞ୍ଚଳର ହାରାହାରି ୨୦ହେକ୍ଟର ଧାନଚାଷ ଜମି ବାଲିଚର ହୋଇ ନଷ୍ଟ ହୋଇଯାଇଛି । ଯୋଗୀସାଗରରୁ ନୂଆଁମୁଡା ଦେଇ ଏକ କେନାଲ ଯାଇଛି । ଉକ୍ତ କେନାଲରେ ଯୋଗୀସାଗରର ବଳକା ପାଣି ନିଷ୍କାଷିତ ହେବାପାଇଁ ପୂର୍ବରୁ ଦେଓଗାଁ ଜରାସିଂହା ପୂର୍ତ୍ତରାସ୍ତା ଉପରେ ଗୋଟିଏ ପୋଲ ରହିଥିଲା । ଉକ୍ତ ପୋଲକୁ ବିଭାଗ ତରଫରୁ କିଛିମାସ ତଳେ ଚଉଡା କରାଯାଇ ଦୁଇଟି ପୋଲ ନିର୍ମାଣ କରାଯାଇଛି । ହେଲେ ସମ୍ପୃକ୍ତ ଠିକାଦାର ପୋଲ ସାମ୍ନାରୁ ମାଟି ନ କାଢ଼ି ବେପରୁଆ ଭାବେ ଛାଡିଦେଇଥିଲେ । ଚାଷୀ ଲକ୍ଷ୍ମଣ ପୋଢଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ଠିକାଦାର ମାଟିକୁ କାଢି ନ ଥିଲେ। ଏଥିଯୋଗୁ ବନ୍ୟାପାଣି ଉକ୍ତ ପୋଲଦେଇ ନିଷ୍କାଷିତ ହୋଇ ନ ପାରି ଚାଷଜମିକୁ ମାଡି ଆସିଥିଲା । ଫଳରେ ସାଗରତଳ ଅଞ୍ଚଳର ପ୍ରାୟ ୨୦ ହେକ୍ଟର ଧାନରୋପଣ ହୋଇସାରିଥିବା ଚାଷଜମି ବାଲିଚର ହୋଇ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର କ୍ଷତିଗ୍ରସ୍ତ ଚାଷୀଙ୍କୁ ନେଇ ଏକ ବୈଠକ ବସିଥିଲା। ବର୍ଷା ଛାଡିବାର ଦୁଇଦିନ ବିତିଥିଲେ ମଧ୍ୟ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହୋଇଥିବା କ୍ଷତିର ଉଚିତ କ୍ଷତିପୂରଣ ପ୍ରଦାନ ଦାବିକୁ ନେଇ ସମସ୍ତ ଚାଷୀ ଆଇନର ଆଶ୍ରୟ ନେବାକୁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏଥିସହ ଖେତରେ ଚରି ଯାଇଥିବା ବାଲିକୁ ଉଠାଇବା, ଭାଙ୍ଗିଥିବା ଆଡିକୁ ମରାମତି କରିବା ତଥା କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚ୍‌ିତ କ୍ଷତିପୂରଣ ପ୍ରଦାନ କରା ନଗଲେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଲକ୍ଷ୍ମଣ ପୋଢ଼, ଶୈଲେଶ କୁମାର ସାହୁ, ବେଣୁଧର ଦଲାଇ, ପରକ୍ଷିତ ଦଳାଇ, ଶୁଭ୍ରାଂଶୁ ଶେଖର ସାହୁ, କିଶୋର ଦଲାଇ ପ୍ରମୁଖ ଚାଷୀ ଚେତାବନୀ ଦେଇଛନ୍ତି । ଏ ନେଇ ସମ୍ପୃକ୍ତ ବିଭାଗର ଏସଡିଓ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରୁ କାମ ସରିନାହିଁ, ବନ୍ୟା ହଠାତ ଆସିବାରୁ ଚାଷୀଙ୍କ କ୍ଷତି ହୋଇଛି। ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।