ବାଲିଘାଟରେ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର ଅଫିସ,୧୮।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଶେଷକୃତ୍ୟ ଗୁରୁବାର ବାଲିଘାଟସ୍ଥିତ ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ସକାଳ ୬ଟା ବେଳେ ତାଙ୍କର ମରଶରୀରକୁ ବାସଭବନରୁ ଏକ ଶୋଭାଯାତ୍ରାରେ ଅଣାଯାଇ ମୋତିଗଞ୍ଜ ବଜାର, ସିନେମା ଛକଦେଇ ଭାଜପା ସଦର କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜିଲା ସ୍କୁଲ ପଡ଼ିଆରେ ମରଶରୀରକୁ ସମର୍ଥକ, ସାଧାରଣ ଲୋକ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଶେଷ ଦର୍ଶନ ତଥା ଶ୍ରଦ୍ଧାଞ୍ଜଳି ପ୍ରଦାନ ନିମେନ୍ତ ରଖାଯାଇଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ପହଞ୍ଚତ୍ ଶେଷଦର୍ଶନ କରିଥିଲେ। ସେଠାରୁ ପୁଣି ଏକ ଶୋଭାଯାତ୍ରାରେ ନିଆଯାଇ ବାଲିଘାଟସ୍ଥିତ ସ୍ବର୍ଗଦ୍ୱାରକୁ ନିଆଯାଇଥିଲା। ତାଙ୍କର ପୁତ୍ର ମାନସ ମୁଖାଗ୍ନି ଦେଇଥିବା ବେଳେ ବନ୍ଧୁବାନ୍ଧବ, ପରିବାର ଲୋକେ ଉପସ୍ଥିତ ଥିଲେ।
ବିଧାୟକ ଦତ୍ତ ଗତ ୬ମାସ ପୂର୍ବରୁ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ପୂର୍ବାହ୍ନ ୯ଟା ୪୫ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କର ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବୁଧବାର ରାତି ୧୦ଟା ବେଳେ ସହରସ୍ଥିତ ପରମିଟଘାଟ ବାସଭବନରେ ପହଞ୍ଚିଥିଲା। ଜିଲାର ବିଭିନ୍ନ ସ୍ଥାନରେ ତାଙ୍କ ମରଶରୀରକୁ ରଖାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ସମାଜସେବୀ ସୁବାସିନୀ ଜେନା, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ବହୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।