ବାଲମୁଚ୍‌ ହତ୍ୟା ମାମଲା :ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୧ା୧୦

ଢେଙ୍କାନାଳ ସହରସ୍ଥିତ ମଣ୍ଟଫୋର୍ଟ ସ୍କୁଲ ନିକଟରେ ୨୦୧୬ ମସିହାରେ ଘଟିଥିବା ସଞ୍ଜୁ ବାଲମୁଚ୍‌ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାଶ ମାମଲାର ଅଭିଯୁକ୍ତ ତଥା ସଞ୍ଜୁଙ୍କ ସ୍ବାମୀ ବିଜୟ ବାଲମୁଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ା ଘଟଣାରୁ ଜଣାପଡିଛି, ମଣ୍ଟଫୋର୍ଟ ସ୍କୁଲ ନିକଟରେ ଶ୍ରମିକ ଭାବେ କାମ କରୁଥିବା ବିଜୟ ବାଲମୁଚ ଏକ ଭଡା ଘରେ ସ୍ତ୍ରୀ ସଞ୍ଜୁ ବାଲମୁଚଙ୍କ ସହ ରହୁଥିଲେ। ଉଭୟଙ୍କ ମଧ୍ୟରେ ଅଧିକାଂଶ ଦିନ ଝଗଡା ଲାଗୁଥିଲା ା ଗତ ୧୮ା୬ା୨୦୧୬ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେବାରୁ ବିଜୟ ତାଙ୍କୁ ହତ୍ୟା କରିଥିଲେ। ପରେ ରାତିରେ ସଦର ଥାନା ସପ୍ତଶଯ୍ୟା ପଞ୍ଚାୟତ ବାନା ସାହିରେ ଥିବା ନିଜର ସଡୁ ବିକ୍ରମ କଣ୍ଡାକେଲୁଙ୍କ ଘରକୁ ଯାଇଥିଲେ। ସଞ୍ଜୁଙ୍କୁ ଜ୍ୱର ହୋଇଛି ତାଙ୍କୁ ଡାକ୍ତରଖାନା ନେବାକୁ ପଡିବ ବୋଲି କହି ବିକ୍ରମକୁ ଡାକି ଆଣିଥିଲେ। ବିଜୟଙ୍କ ଘରକୁ ଆସିବା ପରେ ସଞ୍ଜୁଙ୍କ ମୃତ୍ୟୁ ଘଟିଥିବା ବିକ୍ରମ ଦେଖିବାକୁ ପାଇଥିଲେ। ପରେ ବିଜୟ ମୃତଦେହକୁ ବାନାସାହିରେ ପୋତିବା ପାଇଁ ବିକ୍ରମଙ୍କୁ ଧମକାଇଥିଲେ। ଉଭୟେ ମୃତଦେହକୁ ବାନା ସାହିକୁ ନେଇ ପୋତିବା ପାଇଁ ଗାତ ଖୋଳୁଥିବା ବେଳେ ଅଞ୍ଚଳବାସୀ ଜାଣି ଏହାର ପ୍ରତିବାଦ କରିଥିଲେ। ଫଳରେ କୌଶଳକ୍ରମେ ଘଟଣାସ୍ଥଳରୁ ବିଜୟ ଖସି ପଳାଇଥିଲେ। ସେହି ସମୟରେ ଟାଉନ ଥାନାରେ ଏ ସଂକ୍ରାନ୍ତରେ ନଂ-୨୦୨/୧୬, ଦଫା ୩୦୨ରେ ଏକ ମାମଲା ରୁଜୁ ହେବା ସହ ବିଜୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା। ଅଦାଲତରେ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା। ଏହି ମାମଲାର ସିଟି ସେସନ୍ସ କେସ୍‌ ନଂ. ୧୫/୧୭ର ବିଚାର କରି ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାସ ଅଭିଯୁକ୍ତ ବିଜୟ ବାଲମୁଚଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦୟେ ଏକ ବର୍ଷ ଅଧିକ କାରାଦଣ୍ଡାଦେଶ କରାଯାଇଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପବ୍ଲିକ ପ୍ରସିକ୍ୟୁଟର ଗଣେଶ କୁମାର ବେହେରା ପରିଚାଳନା କରିଥିଲେ ା