ବାର୍‌, ପବ୍‌ରେ କରୋନା ଛାଟ:ଲାଉଡ୍‌ ସ୍ପିକର ବଜାଇବା ନିଷେଧ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ମହାମାରୀ କରୋନା ଭାଇରସ୍‌ ଆତଙ୍କରେ ସାରା ବିଶ୍ୱବାସୀ ଭୟଭୀତ। ଏହି ଭାଇରସ୍‌ ରାଜ୍ୟରେ ଯେଭଳି ସଂକ୍ରମିତ ନ ହେବ ସେଥିଲାଗି ବ୍ୟାପକ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସରକାର ଫିଲ୍ମ ହଲ୍‌, ସୁଇମ ପୁଲ୍‌ ଏବଂ ଜିମ୍‌ ସେଣ୍ଟରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାର ଦିନକ ପରେ ବାର୍‌ ଓ ପବ୍‌ରେ ଲାଗିଛି କରୋନା ଛାଟ। ଶନିବାର କରୋନା ପାଇଁ ରାଜଧାନୀରେ ଲାଉଡ୍‌ ସ୍ପିକର ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଭୁବନେଶ୍ୱରର ସମସ୍ତ ବାର୍‌ ଏବଂ ପବ୍‌ରେ ଲାଉଡ଼୍‌ ସ୍ପିକର ବାଜି ପାରିବନି ବୋଲି ଟୁଇଟ୍‌ କରି ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ହେଲେ ରାଜଧାନୀରେ ଥିବା ବଡ଼ବଡ଼ ମଲ୍‌ ଏବଂ ସୁପର ମାର୍କେଟ ଖୋଲା ରହିଛି। ଫଳରେ ଲୋକମାନେ ଫିଲ୍ମ ନ ଦେଖି ମଲ୍‌ ବୁଲିବାକୁ ଇଚ୍ଛା କରୁଛନ୍ତି। ମଲ୍‌ ଭିତରେ ଏକାଧିକ ଲୋକ ପଶୁଛନ୍ତି। ଯାହାକୁ ନେଇ କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା କରାଯାଉଛି। ତେଣୁ ସରକାର ମଲ୍‌ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିଲେ ମଧ୍ୟ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌ କରି ଲୋକଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକେ ପ୍ରବେଶ କରନ୍ତୁ। ଦଳ ଦଳ ହୋଇ ମଲ୍‌ ଭିତରକୁ ଯାଆନ୍ତୁ ନାହିଁ। ଯଦି ମଲ୍‌ ଭିତରକୁ ଯାଉଛନ୍ତି ତେବେ ଦୂରତା ୬ ଫୁଟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସାମଗ୍ରୀ ବିକ୍ରି ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା ନ କରନ୍ତୁ। ମଲ୍‌ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ। ସେପଟେ ବିବାହ ଓ ବ୍ରତ କାର୍ଯ୍ୟକୁ କେବଳ ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଏମିତିକି ରିସେପସନ୍‌ ପାର୍ଟି ଏବେ ସ୍ଥଗିତ ରଖି ପରେ ତିଥି ଦେଖି ନିଷ୍ପତ୍ତି ନେବାପାଇଁ ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି।