Categories: ଖେଳ

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲା’ ଲିଗାର ଦୁଇଟି ପ୍ରମୁଖ କ୍ଲବ ମଧ୍ୟରୁ ଗୋଟିଏ ଦଳରେ ଯୋଗ ଦେବାରେ ଆବେ ହେଉଛନ୍ତି ଦ୍ୱିତୀୟ ଜାପାନିଜ ଖେଳାଳି। ଜଣେ ପ୍ରଫେଶନାଲ ଖେଳାଳି ହିସାବରେ ୨୦ବର୍ଷୀୟ ଆବେ ଜାପାନ ଫୁଟ୍‌ବଲ ଲିଗ୍‌ ଜେ-ଲିଗ୍‌ରେ ୩ ସିଜନ ଧରି କଶିମା ଆଣ୍ଟଲର୍ସ ଦଳ ତରଫରୁ ଖେଳି ଆସୁଛନ୍ତି। ଆବେ ବାର୍ସିଲୋନାରେ ‘ବି’ ଟିମ୍‌ ରେ ଖେଳିବେ ବୋଲି ଆଶା କରାଯାଉଛି। କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ଲାଗି ବାର୍ସିଲୋନା ଚଳିତ ମାସ ଶେଷ ଭାଗରେ ଜାପାନ ଟୁର୍‌ରେ ଆସିବ। ତନ୍ମଧ୍ୟରେ ପ୍ରିମିୟର ଲିଗ୍‌ ଦଳ ଚେଲ୍‌ସି ବିପକ୍ଷ ଏକ ମ୍ୟାଚ ରହିଛି। ବାର୍ସିଲୋନା ଏଥିଲାଗି ପ୍ରସ୍ତୁତ ହେଉଥିବାବେଳେ ଆବେଙ୍କ ସମ୍ପର୍କରେ ଉପରୋକ୍ତ ଖବର ପ୍ରକାଶ ପାଇଛି। ଆବେ କହିଛନ୍ତି, ଚଳିତ ସିଜନ ଶେଷ ହୋଇ ନ ଥିବା ବେଳେ ଆଣ୍ଟଲର୍ସ ଦଳ ଛାଡ଼ିବା ଏକ କଠିନ ନିଷ୍ପତ୍ତି। ଆବେ ଗତ ସିଜନରେ ଜେ-ଲିଗ୍‌ର ଶ୍ରେଷ୍ଠ ଯୁବ ଖେଳାଳି ବିବେଚିତ ହୋଇଥିଲେ। ଗତ ଜୁନ୍‌ରେ ଜାପାନର ଜତୀୟ ଦଳ ସହିତ କୋପା ଆମେରିକା ଟୁର୍ନାମେଣ୍ଟରେ ଖେଳିଥିଲେ। ତାଙ୍କୁ ଅବଶ୍ୟ ଦୁଇଟି ମ୍ୟାଚରେ ଖେଳିବା ସୁଯୋଗ ମିଳିଥିଲା। ତନ୍ମଧ୍ୟରୁ ଗୋଟିଏ ମ୍ୟାଚରେ ସେ ବଦଳ ଖେଳାଳି ଭାବେ ଖେଳିଥିଲେ। ସ୍ପେନ୍‌ରେ ଏକ  ମେଡିକାଲ ଚେକ୍‌ଅପ୍‌ରେ ଉତ୍ତୀର୍ଣ୍ଣ ହେବାପରେ ଆବେ ବାର୍ସିଲୋନା ଫୁଟ୍‌ବଲ ଟିମ୍‌ରେ ଯୋଗଦେବେ। ପୂର୍ବରୁ ‘ଜାପନିଜ୍‌ ମେସି’ ଭାବେ ପରିଚିତ ଜାପାନିଜ୍‌ ସ୍ବଳ୍ପ ବୟସ୍କ ସେନସେଶନ ଟାକେଫୁସା କୁବୋ ଗତ ମାସରେ ରିୟଲ ମାଡ୍ରିଡ୍‌ରେ ଯୋଗ ଦେଇ ସାରିଛନ୍ତି।

 

Share