ବାରବାଟୀ ଦିନିକିଆ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

କଟକ ଅଫିସ,୭।୧୨: ବାରବାଟୀରେ ଆସନ୍ତା ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଅନୁଷ୍ଠିତ ହେବ। ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ଶନିବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ମନ୍ତ୍ରୀ ଡିଜିପି ଏବଂ ସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ବାତ୍ୟା ‘ଫନୀ’ରେ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଗ୍ୟାଲେରୀ, ଫ୍ଲଡଲାଇଟ୍‌ ଏବଂ ଗ୍ରାଉଣ୍ଡ ଆଦିକୁ ପ୍ରସ୍ତୁତ କରାଯାଉଛି। ଅପରପକ୍ଷେ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ପ୍ରଥମ ଦିବସର କିଛି ଘଣ୍ଟାରେ ଉପଲବ୍ଧ ୮୧୫୦ଟି ଟିକେଟ ବିକ୍ରି ହୋଇଯାଇଥିଲା। ଏଣୁ କ୍ରିକେଟପ୍ରେମୀଙ୍କ ମନରେ ମ୍ୟାଚ୍‌ ପାଇଁ ଉତ୍ସାହ ବହୁତ ରହିଛି ବୋଲି କୁହାଯାଉଛି। ତେବେ ୧୯ ଓ ୨୦ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହେବ। ପ୍ରାୟ ୯ହଜାର ଟିକେଟ କାଉଣ୍ଟରରେ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।