Categories: ଖେଳ

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌ କିଣିଛନ୍ତି। ଅଫ୍‌ଲାଇନ୍‌ ଟିକେଟ୍‌ ଉନ୍ମୋଚନ କରାଯିବା ଅବସରରେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମ୍ୟାଚ୍‌ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା, ଏଚ୍‌ଡିଏଫସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ଅବିନାଶ ବେହେରା ଏହି ଅବସରରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ଗ୍ୟାଲେରି ନଂ-୧ର ଟିକେଟ କିଣିଥିବା ଜଣାପଡ଼ିଛି। ଏଥିସହିତ ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଟିକେଟ୍‌ ଉନ୍ମୋଚିତ ହୋଇଛି। ଆସନ୍ତା ୧୯ ଓ ୨୦ରେ କ୍ରିକେଟପ୍ରେମୀ ମାନଙ୍କ ନିମନ୍ତେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ମୋଟ୍‌ ୧୦,୫୦୦ ଟିକେଟ ଉପଲବ୍ଧ ରହିବ। ଏ ନେଇ ଚଳିତବର୍ଷ ୧୨ଟି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ହର୍ସଗେଟ୍‌ ନିକଟରେ ଖୋଲିବାକୁ ଥିବା ୨ଟି କାଉଣ୍ଟରରେ ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ, କର୍ପୋରେଟ ବକ୍ସ ଓ ଏସି ବକ୍ସ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବାବେଳେ ଅନ୍ୟ ୧୦ଟି କାଉଣ୍ଟରରେ ବିଭିନ୍ନ ଗ୍ୟାଲେରି ଗୁଡ଼ିକର ଟିକେଟ୍‌ ବିକ୍ରି କରାଯିବ।

Share