ବାରବାଟୀ-କଟକ ନିର୍ବାଚନୀ ମାମଲାରେ ମୋକିମଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୮ା୧: ବାରବାଟୀ-କଟକ ବିଧାନସଭା ନିର୍ବାଚନୀ ମାମଲାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ବିଦ୍ୟାଧର ମିଶ୍ର ଶୁକ୍ରବାର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁକ୍ରବାର ଶୁଣାଣି ଅଧାରେ ରହିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି, ନିର୍ବାଚନୀ ସତ୍ୟପାଠରେ ବିଧାୟକ ମହମ୍ମଦ ମୋକିମ ଅନେକ ତଥ୍ୟ ଲୁଚାଇଥିବା ନେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ବିଧାୟକ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ତାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ସାମନ୍ତରାୟ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ସାମନ୍ତରାୟଙ୍କ ପିଟିଶନରେ ସତ୍ୟତା ନ ଥିବା ଦର୍ଶାଇ ମୋକିମ ଉକ୍ତ ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ।