ବାରଙ୍ଗର ୪ ସରକାରୀ ଅଫିସକୁ ନାହିଁ ରାସ୍ତା

ନରାଜ,୨୫।୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁରର ଇଟାଖାଲ ଭିତରେ ରହିଛି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଚାରୋଟି କାର୍ଯ୍ୟାଳୟ। ସେଗୁଡ଼ିିକ ହେଲା ଅଗ୍ନିଶମ କେନ୍ଦ୍ର, କୃଷି ପ୍ରଯୁକ୍ତି ପରିଚାଳନା ଅନୁଷ୍ଠାନ, ଉଦ୍ୟାନ କୃଷି କାର୍ଯ୍ୟାଳୟ ଓ ଉପନିବନ୍ଧକଙ୍କ କାର୍ଯ୍ୟାଳୟ। ଏହି ଅଫିସଗୁଡିକ କଟକ-ବାରଙ୍ଗର ମୁଖ୍ୟରାସ୍ତା ଉଚ୍ଚତାଠାରୁ ବହୁ ତଳକୁ ଅବସ୍ଥିତ। କୌଣସି କାର୍ଯ୍ୟରେ ଆସୁଥିବା ଚାଷୀଠାରୁ ଆରମ୍ଭ କରି ଜନସାଧାରଣ ଅଫିସଗୁଡିକୁ ନ ପାଇ ବାଟବଣା ହୋଇଥାନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ଅଫିସଗୁଡିକ ପାଇଁ ଭଲ ରାସ୍ତାଟିଏ ନାହିଁ କି ଜଣାଯିବାଭଳି ନାମଫଳକଟିଏ ମଧ୍ୟ ନାହିଁ। ଏହାସହ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣ କାର୍ଯ୍ୟ ମଧ୍ୟ ଏଠାରେ ଶେଷ ହୋଇଛି। ଏହି ଚାରୋଟି ଅଫିସ ପାଇଁ ସରକାରଙ୍କ ପକ୍ଷରୁ ୪୦ଫୁଟରେ ୧୧୦୦ଫୁଟର ଗୋଟିଏ ରାସ୍ତା ନକ୍ସାରେ ଦିଆଯାଇଛି। କିନ୍ତୁ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟ ହୋଇପାରି ନାହିଁ। ଫଳରେ ପାଖରେ ଥିବା ଏକ ଇଟାଭାଟିର ଖାଲଢିପ ରାସ୍ତାକୁ ବ୍ୟବହାର କରାଯାଉଛି। ବର୍ଷା ହେଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଭଲ ରାସ୍ତାଟିଏ ନ ହେବାର କାରଣ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ବିଶେଷକରି ଅଗ୍ନିଶମ ବିଭାଗ ଗାଡି, ବିହନ ଓ ଚାରା ନେଇ ଆସୁଥିବା ଭାରିଯାନଗୁଡିକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଫିସର ଓ ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନିଆଯାଉ ନାହିଁ। ଏ ସମ୍ପର୍କରେ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକୁଳ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଅବଗତ ଥିବାବେଳେ ଆସନ୍ତା ପଞ୍ଚାୟତ ସମିତି ବୈଠକରେ ବିଧାୟକ ଓ ଏମ୍‌ପିଙ୍କ ସହ ଆଲୋଚନା କରାଯିବ ବୋଲି କହିିଥିଲେ।