ବାରକୋଟ୍‌ରୁ କଲରାପତରିଆ ବାଘଛାଲ ଜବତ: ଏସ୍‌ଟିଏଫ୍‌ ଜାଲରେ ର଼୍ୟାକେଟର ୩ ସଦସ୍ୟ

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବାଘଛାଲ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌)। ବୁଧବାର ବିଳମ୍ବିତ ରାତିରେ ଏସ୍‌ଟିଏଫ ପକ୍ଷରୁ ଦେବଗଡ଼ ଜିଲା ବାରକୋଟ୍‌ ଅଞ୍ଚଳରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର କଲରାପତରିଆ ବାଘଛାଲ ଜବତ କରାଯିବା ସହ ଏହି ର଼୍ୟାକେଟର ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁନ୍ଦରଗଡ ଜିଲାର ଶଚୀକାନ୍ତ ନାୟକ, ଦେବଗଡ଼ ଜିଲାର ଜଗନସନ ବେହେରା ଏବଂ ରମଣୀସେନ ବେହେରା। ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌.ଙ୍କ ସୂଚନା ଅନୁଯାୟୀ, ଦେବଗଡ ଜିଲା ବାରକୋଟ୍‌ ଅଞ୍ଚଳରେ ବାଘଛାଲ କାରବାର ନେଇ ଯୋଜନା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ବୁଧବାର ଏସ୍‌ଟିଏଫ୍‌ର ଦୁଇଟି ଟିମ୍‌ ଦେବଗଡ ଜିଲା ଅଭିମୁଖେ ବାହାରି ଥିଲା। ବିଳମ୍ବିତ ରାତିରେ ବାରକୋଟ୍‌ ଅଞ୍ଚଳର ଏକ ଘରେ ଡିଲ୍‌ ଚାଲିଥିବାବେଳେ ଗୋଟିଏ ଟିମ୍‌ ଚଢାଉ କରିଥିଲା। ସେଠାରେ ୩ଜଣଙ୍କ ନିକଟରୁ କଲରାପତରିଆ ବାଘଛାଲ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ଜେରାବେଳେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରୁ ବାଘଛାଲ କିଣିବା ପରେ ଅନ୍ତର୍ଜାତୀୟ ମାର୍କେଟକୁ ଚୋରାରେ ବିକ୍ରି କରିବାର ଯୋଜନା ରଖିଥିଲେ। ଏହି ଘଟଣାରେ କେଉଁମାନେ ଫାଇନାନ୍ସର, ମିଡିଲମ୍ୟାନ ଏବଂ ଏଜେଣ୍ଟ ସେନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ସେହିପରି ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ରାହୁଲ କହିଛନ୍ତି। ରାଜ୍ୟରେ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ସଂଖ୍ୟା ବଢିବା ସହ ବାଘଛାଲ ଓ ହାତୀଦାନ୍ତ ଆଦି ଚୋରା କାରିବାର ବୃଦ୍ଧିପାଇବାରେ ଲାଗିଛି। ଗତ ୬ମାସରେ ୫ଥର ବାଘଛାଲ ଜବତ ହେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ଏ ନେଇ ପରିବେଶବିତ୍‌ ଏବଂ ବନ୍ୟପ୍ରାଣୀପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ରାଜ୍ୟ ଜଙ୍ଗଲ ବିଭାଗ ଉପରକୁ ଅଙ୍ଗୁଳି ଉଠିଛି।