ବାପାଙ୍କ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗଲେ ୨ନାବାଳକ

ନୂଆଦିଲ୍ଲୀ,୧।୫: କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରି ଗତ ୧୧ତାରିଖଠାରୁ ଜେଲ୍‌ରେ ଅଛନ୍ତି କଂଗ୍ରେସ ନେତା ସଚିନ ଚାୈଧାରୀ। ଚୌଧାରୀଙ୍କ ମୁକ୍ତି ପାଇଁ ତାଙ୍କ ୨ନାବାଳକ ପୁତ୍ର ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସରକାର କରୋନା ସଂକ୍ରମଣ ରୋକିବାରେ ବିଫଳ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ଠିକ୍‌ଭାବେ ଖାଦ୍ୟ ମିଳୁନାହିଁ। ଲୋକମାନେ ଭୋକ ବିକଳରେ ଛଟପଟ ହେଉଛନ୍ତି। ଏହାର ପ୍ରତିବାଦ କରି କଂଗ୍ରେସ ନେତା ଚାୈଧାରୀ ଦିଲ୍ଲୀ-ମୋରାଦାବାଦ୍‌ ରାଜପଥକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚୌଧାରୀଙ୍କ ଏହି କାର୍ଯ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରାଇଦେବ ବୋଲି ଭାବି ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି। ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତେଣୁ ବାପାଙ୍କୁ ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକ୍ତି କରିବାକୁ ନାବାଳକଦ୍ୱୟ ଅନୁରୋଧ କରିଛନ୍ତି। ଚାୈଧାରୀଙ୍କ ୨ ଓ ୭ବର୍ଷର ନାବାଳକ ପୁତ୍ର ସେମାନଙ୍କ ମା’ଙ୍କ ଜରିଆରେ ଏହି ଆବେଦନ କରିଛନ୍ତି। କଂଗ୍ରେସ ନେତା ଚାୈଧାରୀଙ୍କ ବିରୋଧରେ ଆଇଟି ଆକ୍ଟର ଦଫା ୬୬(ଏ), ୬୭, ଆଇପିସିର ଦଫା ୧୮୮, ୨୬୯, ୨୭୦, ୨୭୧,୧୫୩, ୧୨୪(ଏ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନର ଦଫା ୫୬ରେ ଏକ ମାମଲା ରୁଜୁ ହୋଇଛି।

Share