ବାପାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟାଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଗ୍‌ ବିଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅମିତାଭଙ୍କ ସହ ଅଭିଷେକ ଓ ଜୟା ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ କ୍ୟାମେରାରେ ରେକର୍ଡ କରି ଅଭିଷେକ ଇନ୍‌ଷ୍ଟାଗ୍ରାମରେ ୨ଟି ଫଟୋ ଶେୟାର କରିଛନ୍ତି। ଏଥିସହ ବାପାଙ୍କ ପାଇଁ ଏକ ଭାବପ୍ରବଣତାର ପୋଷ୍ଟ ଲେଖିଛନ୍ତି। ଶେୟାର ହୋଇଥିବା ଅମିତାଭଙ୍କ ଏକ ଫଟୋରେ ଅଭିଷେକ ଲେଖିଛନ୍ତି, ଆପଣ ମୋର ପ୍ରେରଣା ଏବଂ ହିରୋ। ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଥିବାରୁ ବହୁତ ବହୁତ ଶୁଭେଚ୍ଛା ଓ ଭଲ ପାଇବା। ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବ ଅନୁଭବ କରୁଛୁ। ଅପରପକ୍ଷେ ଅନ୍ୟ ଏକ ଫଟୋରେ ଅମିତାଭ, ଜୟା ଓ ଅଭିଷେକଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିଛି। ଏଥିରେ ଅଭିଷେକ ଲେଖିଛନ୍ତି, ଏହା ଏକ ସ୍ବର୍ଣ୍ଣ ମୁହୂର୍ତ୍ତ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଦାଦା ସାହେବ ଫାଲ୍‌କେ ପୁରସ୍କାରକୁ ମିଶାଇ ଅମିତାଭଙ୍କ ଏହା ୫ମ ଜାତୀୟ ପୁରସ୍କାର। ଏହା ପୂର୍ବରୁ ତାଙ୍କୁ ଫିଲ୍ମ ‘ଅଗ୍ନିପଥ’, ‘ବ୍ଲାକ’, ‘ପା’ ଓ ‘ପିକୁ’ ପାଇଁ ଜାତୀୟ ପୁରସ୍କାର ମିଳିଥିଲା। ଆଉ ଏବେ ତାଙ୍କୁ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯାଇଛି।

Share