ବାତ୍ୟା ପରେ ଦୁର୍ଦ୍ଦିନରେ ୩ ପରିବାର: ତୁରନ୍ତ ପାଲ ସହ ପକ୍କାଘର ଯୋଗାଇଦେବାକୁ ଦାବି

ବାଲିଆ,୯।୬: ଫନୀ ବାତ୍ୟାରେ ବାସହୀନ ହୋଇପଡ଼ିଥିବା ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କରିଥିବା ଘୋଷଣା ବିରିଡ଼ି ବ୍ଲକରେ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଏଠାରେ କ୍ଷୟକ୍ଷତି ଆକଳନ ଓ ଘରଭଙ୍ଗା ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ବିପନ୍ନ ପରିବାର ସରକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ବାତ୍ୟାକୁ ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏହି ବ୍ଲକ ଶଙ୍ଖପୁର ପଞ୍ଚାୟତରେ ଥିବା ଏକ ଦଳିତ ପରିବାରକୁ ଏଯାବତ୍‌ ସରକାରୀ ସହାୟତା ମିଳିନାହିଁ। ଏହି ପଞ୍ଚାୟତର ଓ୍ବାର୍ଡ ନଂ.୧ କାଣ୍ଡି ସାହିରେ ବସବାସ କରୁଥିବା ମଧୁସୂଦନ କାଣ୍ଡି, ତାଙ୍କ ୩ ବିବାହିତ ପୁଅଙ୍କ ପରିବାର ଭଙ୍ଗା ଦଦରା ଘରେ ରହୁଛନ୍ତି। ୩ ପୁଅଙ୍କ ଘର ନଂ. ଓ ରାଶନ କାର୍ଡ ନଂ. ଅଲଗା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାରିକୁ ସରକାରଙ୍କ ପକ୍କାଘର ଯୋଜନାରେ ଘର ଖଣ୍ଡେ ମିଳିନାହିଁ। ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ବୁଝୁନାହାନ୍ତି। ଏହି ପଞ୍ଚାୟତରେ ବହୁ ଥିଲାବାଲା ଲୋକଙ୍କୁ ପକ୍କାଘର ମିଳିଥିବାବେଳେ ଗରିବ ଲୋକ ବାଦ୍‌ ପଡିଛନ୍ତି। ସୂଚନାଯୋଗ୍ୟ, ବିରିଡ଼ି ତହସିଲ କାର୍ଯ୍ୟାଳୟରେ ପୁଳାପୁଳା ପାଲ ଗଦାହୋଇ ରହିଥିଲେ ମଧ୍ୟ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ବହୁ ବିପନ୍ନ ପରିବାରଙ୍କୁ ପ୍ରଦାନ କରାଯାଇନାହିଁ। ତେଣୁ ତୁରନ୍ତ ପାଲ ପ୍ରଦାନ ସହ ପକ୍କାଘର ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।