Categories: ରାଜ୍ୟ

ବାତ୍ୟା ଦୋହଲାଇଦେଲା ବିଦ୍ୟାଳୟ ଭିତ୍ତିଭୂମି: ସପ୍ତାହେ ପରେ ଖରାଛୁଟି ସରିବ

ବାଲିଆ,୯।୬: ଫନୀ ବାତ୍ୟାରେ ବିରିଡ଼ି ବ୍ଲକରେ ଥିବା କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୋହଲିଯାଇଛି। ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ବାତ୍ୟାର ୧ ମାସ ପରେ ମଧ୍ୟ ସେଗୁଡିକ ମରାମତି କରାଯାଇନାହିଁ। ଅନ୍ୟପକ୍ଷରେ ଆଉ ୧ ସପ୍ତାହ ପରେ ଖରାଛୁଟି ସରିବ ଓ ବିଦ୍ୟାଳୟ ଖୋଲିବ। ତେଣୁ ପିଲାମାନେ କେଉଁଠି ବସି ପାଠ ପଢିବେ ତାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ବିରିଡ଼ି ବ୍ଲକର ଦଣ୍ଡିଲୋ ଗ୍ରାମରେ ଥିବା ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ମା ନାଏକାଣୀ ବିଦ୍ୟାପୀଠର ଶ୍ରେଣୀଗୃହ ଆଜବେଷ୍ଟସ, କବାଟ ଝରକା ଆଦି ଭାଙ୍ଗିଯାଇଛି। ଗୃହର କାନ୍ଥ ମଧ୍ୟ ଫାଟି ଆଁ କରିଛି। ଏହି ବିଦ୍ୟାଳୟରେ ପିଲାମାନେ ପାଠ ପଢିବା ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀ ଓ ଅଭିଭାବକ ଅଶୋକ କୁମାର ସ୍ବାଇଁ, ସୁରେନ୍ଦ୍ରନାଥ ସାହୁ, ବାବାଜି ଚରଣ ସାହୁ, ବଟକୃଷ୍ଣ ସାହୁ, ଭାଗ୍ୟଧର ମୁଦୁଲି, ରମେଶ ଚନ୍ଦ୍ର ସ୍ବାଇଁ, କୈଳାସ ବେହେରା, କୃଷ୍ଣଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ବିଶ୍ୱନାଥ ଭୂୟଁା ପ୍ରମୁଖ ପ୍ରକାଶ କରିଛନ୍ତି। ତେଣୁ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟ କିପରି ଚାଲିବ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଅଣଖିଆ ଉଚ୍ଚ ବିଦ୍ୟାଳୟ (ବ୍ଲକଗ୍ରାଣ୍ଟ)ର ମଧ୍ୟ ସମାନ ଅବସ୍ଥା। ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ଆଜବେଷ୍ଟସ ଉଡ଼ିଯାଇଛି। ତେଣୁ ଖରାଛୁଟି ପରେ ପିଲାମାନେ ଖୋଲା ଆକାଶ ତଳେ ବସି ପାଠ ପଢିବାକୁ ବାଧ୍ୟ ହେବେ ବୋଲି ଗ୍ରାମର ପ୍ରତାପ ନାୟକ, ପ୍ରଶାନ୍ତ କୁମାର ପଣ୍ଡା, ଜୀବନ ବେହେରା, ବ୍ରହ୍ମାନନ୍ଦ ରାଉତ, ଅଶୋକ ସିଂହ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏହି ଦୁଇ ବିଦ୍ୟାଳୟ ସଢେଇ ଶାସନ ପଞ୍ଚାୟତରେ ରହିଛି। ତେଣୁ ସରପଞ୍ଚ ଅମିତ ରାଉଳ, ସମିତିସଭ୍ୟ ଅମୂଲ୍ୟ ମହାନ୍ତି ମଧ୍ୟ ବିଦ୍ୟାଳୟ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ମରାମତି କରିବାକୁ ଦାବି କରିଛନ୍ତି। ସେହିପରି ଜତା ବିଦ୍ୟାପୀଠ, କାଳିଆବୁଦା ବିଦ୍ୟା ନିକେତନ ଓ ଅନ୍ୟ କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।