ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଯେଇଁ କ୍ଷତ ଛାଡ଼ି ଦେଇଯାଇଛି, ତାହା ଆଜି ମଧ୍ୟ ଶୁଖିନାହିଁ। ବର୍ତ୍ତମାନ ବାତ୍ୟା ‘ଫନୀ’କୁ ନେଇ ୩ ଦିନ ହେଲା ସତର୍କ ସୂଚନା ଜାରି ହୋଇଛି। ଗଣମାଧ୍ୟମରେ ତାହା ପ୍ରଚାର ପ୍ରସାର ହେବା ପରେ ଲୋକେ ସାମାନ୍ୟ ଆତଙ୍କିତ ହୋଇପଡିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୧୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତେବେ ଏହି ବେଗର ପବନ ସହିତ ସମୁଦ୍ରକୂଳିଆ ଲୋକେ ସାଧାରଣତଃ ଅଭ୍ୟସ୍ତ। କିନ୍ତୁ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଏକ ଭୟ ଘାରିଥାଏ। ତାହା ହେଲା ଶିଳ୍ପ ସଂସ୍ଥାର ରାସାୟନିକ ଗ୍ୟାସ ପୂର୍ଣ୍ଣ ଟାଙ୍କି। କାରଣ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟର ଦୁଃଖଠାରୁ ଆମୋନିଆ ଗ୍ୟାସ ନିର୍ଗତ ହେବାର କଷ୍ଟ ବଳିପଡ଼ିଥିଲା। ବାତ୍ୟାର ୮ଦିନ ପରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ଲୋକମାନେ ରାତି ଅଧରେ ଘରଦ୍ୱାର ଛାଡ଼ି ୫୦ କିମି ଦୂରକୁ ପଳାଇଥିଲେ। ପାରାଦୀପରେ ୨ଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ଲକ୍ଷାଧିକ ଟନ୍‌ର ଆମୋନିଆ, ସଲ୍‌ଫ୍ୟୁରିକ ଏସିଡ୍‌, ଫସ୍‌ଫ୍ୟୁରିକ ଏସିଡ୍‌, ପଟାସ ଆଦି ମହଜୁଦ ଅଛି। ଏତଦ୍‌ବ୍ୟତୀରେକ ୧୫୦ରୁ ଊର୍ଦ୍ଧ୍ୱ ବିଶାଳ ତେଲ ଟାଙ୍କି ରହିଛି। ବାତ୍ୟାବେଳେ ବିଦ୍ୟୁତ ସରବରାହ ବନ୍ଦ କିମ୍ବା କିଛି ଅଘଟଣ ଘଟିଲେ ରାସାୟନିକ ଗ୍ୟାସ୍‌ ନିର୍ଗତ ହୋଇ ପାରାଦୀପ ଓ ଏହାର ୪୦ କିମି ଦୂର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବ। ସେଥିପାଇଁ ବାତ୍ୟା ଅପେକ୍ଷା ରାସାୟନିକ ଟାଙ୍କି ଭୟ ଅଧିକ ରହିଛି ବୋଲି ସ୍ଥାନୀୟ ବିଜୟଚନ୍ଦ୍ରପୁର ବାସିନ୍ଦା ଜଗନ୍ନାଥ ହାଲଦାର କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଖବର ପାଇ ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଜାରରେ ଭିଡ଼ ଜମାଇଛନ୍ତି। ପରିବା ଓ ତେଜରାତି ସଉଦା ଦୋକାନାରେ ଏଭଳି ଭିଡ଼ ଦେଖିବାକୁ ମିଳିଛି।