ବାତ୍ୟାରେ ୩,୨୧୪ ହେକ୍ଟର ଫସଲ କ୍ଷତିଗ୍ରସ୍ତ

କଣାସ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ହୋଇଥିବାବେଳେ ଚାଷ ଜମି ସବୁ ଉଜୁଡ଼ି ଯାଇଛି। ଡେଲାଙ୍ଗ ବ୍ଲକରେ ୬,୭୫୯ ଚାଷୀଙ୍କର ୩,୨୧୪ହେକ୍ଟର ଖରାଟିଆ ଧାନ, ମୁଗ ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ଆକଳନରୁ ଜଣାପଡିଛି। ଏହି ସବୁ ଜମିରେ ୩୩ ପ୍ରତିଶତରୁ ଶତପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ସହକାରୀ କୃଷିଅଧିକାରୀ ରାକେଶ ରାଉତ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ଜମିର ଚିହ୍ନଟ ଓ ଏହାର ଚାଷୀଙ୍କ ନାମ କୃଷି ବିଭାଗ ସଂଗ୍ରହ କରିଥିଲେ ମଧ୍ୟ ଜମିର ମାଲିକାନା ନେଇ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଆବଶ୍ୟକ ହେଉଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବା ବିଳମ୍ବିତ ହୋଇଛି। ରାଜସ୍ବ ନିରୀକ୍ଷକମାନେ ଏବେ ଘର ଭଙ୍ଗା ଏବଂ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଦିନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଓ କମ୍ପ୍ୟୁଟର ଲିଙ୍କ୍‌ ନ ଥିବା ଯୋଗୁ କୃଷି ବିଭାଗ କିମ୍ବା ଆର.ଆଇଙ୍କ ପକ୍ଷରୁ ଭୁଲେଖ ୱେବସାଇଟ୍‌ ମାଧ୍ୟମରେ କ୍ଷତିଗ୍ରସ୍ତ ଜମିର ମାଲିକାନା ନିର୍ଣ୍ଣୟ ହୋଇପାରୁ ନାହିଁ। ଅନ୍ୟ ପକ୍ଷରେ ଚାଷୀମାନେ କ୍ଷତିଗ୍ରସ୍ତ ଜମିର ଫସଲ ଅମଳ ଆରମ୍ଭ କରିଛନ୍ତି। ସରକାରୀ ତଦନ୍ତକୁ ଅପେକ୍ଷା କଲେ ବାତ୍ୟାରୁ ବର୍ତ୍ତିଥିବା ଫସଲ ଉଜୁଡିଯିବା ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଜମିର ଚାଷୀଙ୍କୁ ଚିହ୍ନଟ କରି ହେକ୍ଟର ପ୍ରତି ଧାର୍ଯ୍ୟ ହୋଇଥିବା ୧୩ ହଜାର ଟଙ୍କା ସହାୟତା ବିତରଣ ପ୍ରକ୍ରିୟା ତ୍ୱରାନିତ କରିବା ପାଇଁ ବିପନ୍ନ ଚାଷୀମାନେ ଦାବିକରିଛନ୍ତି।