ବାତ୍ୟାରେ ଭାଙ୍ଗିଯାଇଛି ସ୍କୁଲଗୃହ: ପାଠପଢ଼ା ବନ୍ଦ ଆଶଙ୍କା, ପୁନଃ ନିର୍ମାଣ ଦାବି

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ ପ୍ରଭାବରେ ଟାଙ୍ଗୀ ବ୍ଲକର ଅଧିକାଂଶ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। କେତେକ ବିଦ୍ୟାଳୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଜବେଷ୍ଟସ୍‌ ଛପରଗୁଡିକ ଭାଙ୍ଗିରୁଜି ଦୂରକୁ ଉଡ଼ିଯାଇଛି। ଏହି ବିଦ୍ୟାଳୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଭାବେ ନିର୍ମାଣ କରା ନ ଗଲେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ତେବେ ସମ୍ପ୍ରତି ଗ୍ରୀଷ୍ମଛୁଟି ଚାଲିଥିବାରୁ ପିଲାଙ୍କ ପାଠପଢ଼ା ବନ୍ଦ ରହିଛି। ଜୁନ୍‌ ମାସ ୩ୟ ସପ୍ତାହରେ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନ ନିଶ୍ଚିତ ରୂପେ ଆରମ୍ଭ ହେବ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ସମ୍ପୂର୍ଣ୍ଣ ବା ଆଂଶିକ ମରାମତିର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନାଯୋଗ୍ୟ, କନ୍ତଳବାଇ ସ୍ବପ୍ନତାରା ମିଳିତ ନୋଡାଲ ଏକାଡେମୀରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଏହି ବିଦ୍ୟାଳୟର ଆଜବେଷ୍ଟସ୍‌ ଛାତ ସମ୍ପୂର୍ଣ୍ଣ ଭାବେ ଉଡିଯାଇଛି। ସେହିପରି ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠ, କମାଗୁରୁ ନୋଡାଲ ହାଇସ୍କୁଲ, ନୂଆପଡ଼ା ପଦ୍ମକୁମୁଦ ବିଦ୍ୟାନିକେତନ ଓ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀର ଛପର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିଦ୍ୟାଳୟଗୁଡ଼ିକର ମରାମତି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଓଷ୍ଟା ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ ଦାବି କରିଛନ୍ତି ।