Categories: ଖେଳ

ବାତିଲ ହୋଇପାରେ ଆଇପିଏଲ୍‌

କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନରେ ଅନେକ କ୍ରୀଡ଼ା ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ ମଧ୍ୟ ବାତିଲ ହେବା ସମ୍ଭାବନା ରହିଛି। ବିଶ୍ୱର ଏହି ବ୍ୟୟବହୁଳ କ୍ରିକେଟ ଲିଗ୍‌ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା ମାତ୍ର ତାହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ମାତ୍ର ରିପୋର୍ଟ ଅନୁସାରେ ଲିଗ୍‌ର ଏହି ୧୩ତମ ସଂସ୍କରଣ ପୂରା ବାତିଲ ହେବା ପଥରେ ରହିଛି। ସମଗ୍ର ବିଶ୍ୱ ଏବେ କରୋନା ବିପକ୍ଷରେ ଲଢ଼େଇ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଏହି କାରଣରୁ ୭୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୩୩,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ଗଲାଣି।
ଭାରତ ଏବେ ୨୧ ଦିନିଆ ଲକ୍‌ଡାଉନ ସମୟ ଦେଇ ଗତିକରୁଛି। ଏପରି ସ୍ଥିତିରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପାଇଁ ସହଜ ହେବନାହିଁ ନିଶ୍ଚିତ। ଖବର ଅନୁସାରେ ୨୦୨୧ରେ ବଡ଼ଧରଣର ଖେଳାଳି ନିଲାମ ହେବନାହିଁ। ପ୍ରତିଥର ଫ୍ରାଞ୍ଚାଇଜ୍‌ଗୁଡ଼ିକ ଅଳ୍ପକିଛି ଖେଳାଳିଙ୍କୁ ଅପରିବର୍ତ୍ତିତ ରଖୁଥିବାବେଳେ ଅଧିକ ଖେଳାଳି ନିଲାମକୁ ଯାଇଥାନ୍ତି। ମାତ୍ର ଚଳିତ ବର୍ଷ ଆଇପିଏଲ ନ ହେଲେ ଆସନ୍ତା ବର୍ଷ ସେପରି ହେବନାହିଁ। ”ଆଇପିଏଲ୍‌ ଚଳିତ ବର୍ଷ ହେବନାହିଁ। ଏହା ଆସନ୍ତା ବର୍ଷ ହେବ। ଦେଶର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ସମସ୍ତେ ଅବଗତ। ଏପରିସ୍ଥିତିରେ କେହି ରିସ୍କ ନେବାକୁ ଚାହିଁବେ ନାହିଁ“ ବୋଲି ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ଜଣେ ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଷ୍ଟାଡିୟମରେ ସାମାଜିକ ଦୂରତା ରଖିବା ସମ୍ଭବ ହେବନାହିଁ। ତେଣୁ ଆଇପିଏଲକୁ ଆସନ୍ତା ବର୍ଷ କରାଇବା ଠିକ୍‌ ହେବ। ଆସନ୍ତା ବର୍ଷ ବଡ଼ଧରଣର ନିଲାମ ପ୍ରକ୍ରିୟା ହେବନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବାପରେ ଆମେ ଫ୍ରାଞ୍ଚାଇଜ୍‌ମାନଙ୍କୁ ଜଣାଇ ଦେବୁ। ୨୦୨୦ ସିଜନ ୨୦୨୧ରେ ଜାରି ରହିବ ବୋଲି ସେ କହିଛନ୍ତି। ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ପୁରା କ୍ରୀଡ଼ା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି। କୌଣସି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ବର୍ଷକୁ ଘୁଞ୍ଚତ୍ବାରେ ଲମ୍ବା ତାଲିକା ରହିଛି। ଦୁଇଟି ବଡ଼ ଟୁର୍ନାମେଣ୍ଟ ଅଲିମ୍ପିକ୍ସ ୨୦୨୦ ଓ ୟୁରୋ ୨୦୨୦ ଆସନ୍ତା ବର୍ଷକୁ ଘୁଞ୍ଚତ୍ଛି। ଏଥିରେ ଆଇପିଏଲ ଯୋଡ଼ି ହେବାକୁ ଯାଉଛି।

Share