ବାତିଲ ହୋଇନି ବିଇଡି ପରୀକ୍ଷା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌ ପ୍ରତିକାରକୁ ନେଇ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଦେଇଛନ୍ତି। କିନ୍ତୁ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟ ଅଧୀନରେ ବିିଇଡି କରୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ବାତିଲ ହୋଇନାହିଁ । ଆସନ୍ତା ୨୩ ତାରିଖରେ ଆନ୍ଧ୍ର ପ୍ରଦେଶରେ ଗୁଣ୍ଟୁର ଜିଲାରେ ସେମାନଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ୫ହଜାରରୁ ଅଧିକ ଛାତ୍ରୀଛାତ୍ର ୨୧ରେ ଆନ୍ଧ୍ର ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନେ ପରୀକ୍ଷା ବାତିଲ୍‌ କରିବା ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତିି। ଆନ୍ଧ୍ରପ୍ରଦେଶରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୨୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିଇଡି କରୁଛନ୍ତି। ସେମାନଙ୍କ ଗତ କିଛି ଦିନ ହେବ ପରୀକ୍ଷା ସରିଥିବା ବେଳେ ଆସନ୍ତା ୨୩ ତାରିଖରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହେଉଛି। ଉକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ବିଇଡି କରୁଥିବା ଢେଙ୍କାନାଳ ଜିଲାର ବିଶ୍ୱଜିତ୍‌ ସାମଲଙ୍କ କହିବା ଅନୁଯାୟୀ ମାର୍ଚ୍ଚ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତାଙ୍କର ପରୀକ୍ଷା ଅଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଟ୍ରେନ ଯାତ୍ରା ସବୁଠୁ ଅସୁରକ୍ଷିତ କୁହାଯାଉଥିବା ବେଳେ ଏତେ ସଂଖ୍ୟକ ଛାତ୍ରୀଛାତ୍ର ଆନ୍ଧ୍ର ଯିବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।