ବାଣୀଙ୍କ ବିକିନି ଟପ୍‌କୁ ନେଇ ବିବାଦ

ମୁମ୍ବାଇ: ଭାରତରେ ଆସ୍ଥା ଓ ଧର୍ମର ମହତ୍ତ୍ୱ ଅଧିକ। ଏଣୁ ଏ କ୍ଷେତ୍ରରେ ପ୍ରାୟତଃ ସବୁବେଳେ କିଛି ନା କିଛି ବିବାଦ ଓ ଘଟଣା ଦେଖିବାକୁ ମିଳିଥାଏ। ବି-ଟାଉନ୍‌ ଅଭିନେତ୍ରୀ ବାଣୀ କପୁର ଏ ପରିପ୍ରେକ୍ଷୀରେ ଏବେ ବିବାଦରେ ଫସିଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ନିକଟରେ ନିଜ ଇନ୍‌ଷ୍ଟାଗ୍ରାମରେ ବାଣୀ ଏକ କ୍ରପ୍‌ ଟପ୍‌ ପିନ୍ଧା ଫଟୋ ଶେୟାର କରିଥିଲେ। ବାଣୀଙ୍କ ଏହି ଲାଟେଷ୍ଟ ଲୁକ୍‌କୁ ଫ୍ୟାନ୍‌ ପସନ୍ଦ ମଧ୍ୟ କରିଥିଲେ। ହେଲେ ତାଙ୍କ ଟପ୍‌ରେ କିଛି ଏଭଳି ଲେଖା ହୋଇଥିଲା, ଯାହାକୁ ନେଇ ଏତେ ବିବାଦ ଉପୁଜିିଛି। ପ୍ରକୃତରେ ବାଣୀଙ୍କ ଏହି ହଟ୍‌ ବିକିନି ଟପ୍‌ରେ ‘ହରେ ରାମ ହରେ କୃଷ୍ଣ’ ଲେଖାଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଲୋକଙ୍କ ଅଭିଯୋଗ ହେଲା, ଯେଉଁଭଳି ଟପ୍‌ ବାଣୀ ପିନ୍ଧିଛନ୍ତି, ସେଥିରେ ହିନ୍ଦୁଧର୍ମର ଅନ୍ୟତମ ପରିଚୟ ‘ହରେ ରାମ ହରେ କୃଷ୍ଣ’ ଲେଖାଥିବା ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହାକୁ ନେଇ ବାଣୀଙ୍କୁ କଡ଼ା ସମାଲୋଚନା କରାଯାଉଛି। ଏହାଛଡ଼ା ବାଣୀଙ୍କ ଫିଲ୍ମକୁ ବୟକଟ୍‌ କରିବାକୁ ସୋସିଆଲ ମିଡିଆରେ ହ୍ୟାଶ୍‌ ଟ୍ୟାଗ୍‌ ସହ ବାଣୀ କପୁର ଟ୍ରେଣ୍ଡ୍‌ ହେଉଛି। ସେହିପରି ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ଉଠିଛି। ଅନ୍ୟପକ୍ଷରେ ଏଭଳି ବିବାଦ ଉପୁଜିବା ପରେ ବାଣୀ ଏହି ଫଟୋଟିକୁ ସୋସିଆଲ ମିଡିଆରୁ ଡିଲିଟ୍‌ କରିଦେଇଥିଲେ ମଧ୍ୟ ଫଟୋଟି ଏବେ ବି ହ୍ୟାଶ୍‌ ଟ୍ୟାଗ୍‌ ସହ ଭାଇରାଲ ହେଉଛି। ଫିଲ୍ମ ‘ଓ୍ବାର୍‌’ରେ ବାଣୀ କପୁର ଦମ୍‌ଦାର ଅଭିନୟ କରି ଚର୍ଚ୍ଚା ସାଉଁଟି ଥିଲେ ଆଉ ଏବେ ଧାର୍ମିକ ଭାବନାକୁ ଆଘାତ ଦେଇ ମଧ୍ୟ ଚର୍ଚ୍ଚା ସାଉଁଟୁଛନ୍ତି। ତେବେ ଏ ବିବାଦ ନେଇ ବାଣୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Share