Categories: ଜାତୀୟ

ବାଣଭର୍ତ୍ତି ସପୁରି ଖୁଆଇ ହାତୀକୁ ମାରିବା ଘଟଣା:ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ/ପାଲାକ୍କଡ,୫ା୬:କେରଳର ମାଲାପୁରମ୍‌ରେ ଏକ ଗର୍ଭିଣୀ ହାତୀକୁ ବାଣଭର୍ତ୍ତି ସପୁରି ଖୁଆଇ ହତ୍ୟା କରିବା ଭଳି ଅମାନୁଷିକ ବର୍ବରତାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପ୍ରତିଶ୍ରୁତି ଦେଇଛନ୍ତି। ବନ ବିଭାଗ ଘଟଣାର ତଦନ୍ତ କରୁଛି, ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ୧୫ ବର୍ଷୀୟା ମାଈ ହାତୀ ହତ୍ୟା ଘଟଣାରେ ମନ୍ନର୍‌କ୍କଡ ଜଙ୍ଗଲ ବିଭାଗ ତଦନ୍ତ ଆରମ୍ଭ କରିଥିବାବେଳେ ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ଦୁଇଟି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
ସପୁରିରେ କେହି ବାଣ ରଖିଥିବାବେଳେ ହାତୀଟି ଏହାକୁ ଖାଇଦେଇଥିଲା। ହାତୀ ପାଟିରେ ବାଣ ବିସ୍ଫୋରଣ ହେବାରୁ ଏହା ଗୁରୁତର ଆହତ ହୋଇଥିଲା। କୋଟ୍ଟପଦମ ପଞ୍ଚାୟତ ଅନ୍ତର୍ଗତ ଥିରୁଭିଝମକୁନ୍ନୁ ଜଙ୍ଗଲରେ ୨୭ ତାରିଖରେ ଉକ୍ତ ହାତୀର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାରେ ୩ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଛି। ଏହି ମାମଲାରେ ନିଶ୍ଚୟ ନ୍ୟାୟ ମିଳିବ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏଭଳି ଦୁଃଖଦ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ହାତୀକୁ ବାଣଭର୍ତ୍ତି ସପୁରି ଖୁଆଇ ମାରିବା ଅତ୍ୟନ୍ତ ବର୍ବରୋଚିତ କାର୍ଯ୍ୟ। ପ୍ରାଣୀଙ୍କୁ ବାଣ ଖୁଆଇ ମାରିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି। ଅପରାଧୀଙ୍କୁ ଧରିବାରେ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଜାଭଡେକର ଟୁଇଟ୍‌ କରିଛନ୍ତି।

Share