ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ

ଠାକୁରମୁଣ୍ଡା,୧୬ା୪(ଡି.ଏନ୍‌.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍‌ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ ୨୦/୩୦ ଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କୁ ରରୁଆଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ଥିବା ବେନିସଗାର ଛକ ନିକଟ ରାସ୍ତା ଉପରେ ଓଡ଼ିଶା ପୋଲିସର ରରୁଆଁ ଥାନା ପୋଲିସ ଜଗି ରହିଥିଲା। ଏହି ସମୟରେ ଝାଡ଼ଖଣ୍ଡ ରାଜ୍ୟ ବେନିସାଗର ନିକଟ କୁଳିପୋସି ଗ୍ରାମର ଦୁଇ ଯୁବକ ଏକ ବାଇକ୍‌ରେ ଆସି ଓଡ଼ିଶା ଭିତରକୁ ପ୍ରବେଶ କରିବା ଲାଗି ଚେଷ୍ଟା କରିଥିଲେ। ଫଳରେ ଜଗି ରହିଥିବା ଓଡ଼ିଶା ପୋଲିସ ସେମାନଙ୍କୁ ଛାଡ଼ି ନ ଥିଲା। ଏହି କାରଣରୁ ଯୁବକ ଦ୍ୱୟଙ୍କ ସହିତ ପୋଲିସର ଯୁକ୍ତିତର୍କ ହେବା ପରେ ଯୁବକ ଦୁଇ ଜଣ ନିଜ ଗ୍ରାମକୁ ଯାଇ ପ୍ରାୟ୨୦/୩୦ ଗ୍ରାମବାସୀଙ୍କୁ ଡାକି ଆଣିଥିଲେ। ପରେ ସୀମା ଜଗିଥିବା ଥିବା ପୋଲିସ ଉପରେ ଟେକା, ପଥର ମାଡ଼ କରିବା ସହ ରାସ୍ତାରେ ଲାଗି ଥିବା ବ୍ୟାରିକେଟ୍‌କୁ ଭାଙ୍ଗି ଦେଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୩ ହୋମଗାର୍ଡ ଆହତ ହୋଇଛନ୍ତି। ଖବର ପାଇ ରରୁଆଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।