ବାଟବଣା ବ୍ୟକ୍ତି ଆଶ୍ରୟସ୍ଥଳରେ ରହିଲେ

ଲାଠୋର,୩୧।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧୀନ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗାଁ ମୁଣ୍ଡରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ରଖା ଯାଇଛି। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ପୋଲସାରା ଗ୍ରାମର ହିନ ପୋଲେଇ। ସେ ଉଦ୍ଦେଶ୍ୟରେ ଆନ୍ଧ୍ର ପ୍ରଦେଶର ୱାଲଟିୟରକୁ ଯାଇଥିଲେ। ହେଲେ କେନ୍ଦ୍ର ସରକାର ୨୩ ତାରିଖରୁ ସାରା ଦେଶକୁ ତାଲା ବନ୍ଦ ଘୋଷଣା କରିବାରୁ ସେ ଚାଲି ଚାଲି ଘରକୁ ବାହାରିଥିଲେ। ସାନଗୁର୍ଜିଭଟା ଗ୍ରାମମୁଣ୍ଡରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଗିରି ଏହି ଅଚିହ୍ନା ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ପ୍ରଥମେ ଖାଦ୍ୟ ଏବଂ ପାଣି ଦେଇ ପରିଚୟ ପଚାରି ଥିଲେ। ଘଟଣା ବିଷୟରେ ଅବଗତ ହେବା ପରେ ଖପ୍ରାଖୋଲ ଗୋଷ୍ଠି ଉନ୍ନୟନ ଅଧିକାରୀ ତରଣି ସୁନା ଏବଂ ସରପଞ୍ଚ ବିଜୟଲକ୍ଷ୍ମୀ ବାଗଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ କରୁଆଁଝରରେ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳକୁ ନେଇ ପହଞ୍ଚି ଥିଲେ। ଅଙ୍ଗନୱାଡି କର୍ମୀଙ୍କୁ ସାନଗୁର୍ଜିଭଟା ଗ୍ରାମର ବିଦେଶୀ ଛତ୍ରିଆ ସହଯୋଗ କରିଥିଲେ।